ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଶୁକ୍ରବାର ଏହି ସିରିଜ କ୍ରୀଡ଼ାସୂଚୀ ଘୋଷଣା ହୋଇଛି । ଡିସେମ୍ବର ୯, ୧୧, ୧୪, ୧୭, ୨୦ ତାରିଖରେ ୫ଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମରେ ପ୍ରଥମ ୨ଟି ଏବଂ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଶେଷ ୩ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ସିରିଜ ଜରିଆରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଆଗାମୀ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ (ଫେବ୍ରୁଆରୀ) ପାଇଁ ପ୍ରସ୍ତୁତି କରିବେ ।
୨୦୧୮ରେ ଶେଷ ଥର ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସି ୩-୦ରେ ଦିନିକିଆ ସିରିଜ ବିଜୟୀ ହୋଇଥିଲା । ଗତ ଅକ୍ଟୋବର ମାସ ମହିଳା ଏସିଆ କପ୍ରେ ଭାରତ ଚାମ୍ପିଅନ୍ ହୋଇଥିଲା । ଏହାପରଠୁ ଦଳ କୌଣସି ସିରିଜ ଖେଳିନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ତ୍ରି-ରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି ।