ଜାନୁଆରୀ ୧୩ରୁ ଓଡ଼ିଶାରେ ହକି ବିଶ୍ୱକପ୍ ଆରମ୍ଭ

0

ଭୁବନେଶ୍ୱର : ଆସନ୍ତା ଜାନୁଆରୀ ମାସ ୧୩ ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌-୨୦୨୩ । ବୁଧବାର ଠାରୁ ବିଶ୍ୱକପ୍‌ର ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ୍‌ କିଣି ଏହାର ଶୁଭାରମ୍ଭ କରିଛନ୍ତି ।

ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ୍‌ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଟିକେଟ୍‌ ଗ୍ରହଣ କରିବା ସହ ୫୦୦ ଟଙ୍କା ପ୍ରଦାନ କରିଥିଲେ । ଏହି ଟିକେଟ୍‌ ଜାନୁଆରୀ ୧୩ ତାରିଖରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ଓ ସ୍ପେନ ମ୍ୟାଚ୍‌ର । ସେଦିନ ଇଂଲଣ୍ଡ-ୱେଲ୍ସ ମ୍ୟାଚ୍‌ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ ।

ଗୁରୁବାର ଠାରୁ ଅନ୍‌ଲାଇନରେ ଦର୍ଶକ ଟିକେଟ୍‌ କିଣିପାରିବେ । ପେଟିଏମ୍‌ ଇନ୍‌ସାଇଡରରେ ଟିକେଟ୍‌ ଉପଲବ୍ଧ ହେବ । ଟିକେଟ୍‌ ମୂଲ୍ୟ ୫୦୦, ୪୦୦, ୨୦୦ ଓ ୧୦୦ ଟଙ୍କା ରହିଛି । ବିଶ୍ୱକପ୍‌ରେ ମୋଟ୍‌ ୧୬ଟି ଦଳ ଭାଗ ନେବେ । ସେମାନଙ୍କୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଆୟୋଜକ ଭାରତ ପୁଲ୍‌ ଡି’ରେ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ସହ ରହିଛି । ଭାରତ ଜାନୁଆରୀ ୧୩ରେ ସ୍ପେନ ଓ ୧୫ରେ ଇଂଲଣ୍ଡକୁ ଭେଟିବ । ଉଭୟ ମ୍ୟାଚ୍‌ ରାଉରକେଲାରେ ଖେଳିବ । କେବଳ ଜାନୁଆରୀ ୧୯ରେ ୱେଲ୍ସ ବିପକ୍ଷ ମ୍ୟାଚ୍‌ କଳିଙ୍ଗରେ ଖେଳିବାର କାର୍ଯ୍ୟକ୍ରମ ରହିଛି । ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ ।

Leave A Reply

Your email address will not be published.