ନୀତିଶଙ୍କୁ ଭେଟିଲେ ଆଦିତ୍ୟ ଠାକରେ

0

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ଆରମ୍ଭ ହେଲାଣି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଗତକାଲି ବିହାର ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ କିନ୍ତୁ ଜୋର ଧରିବାରେ ଲାଗିଛି ରାଜନୀତି।

ଏଠାରେ ଉଲ୍ଲେଖନୀୟ କଥା ଯେ, ଆଦିତ୍ୟଙ୍କ ଜେଜେବାପା ସ୍ୱର୍ଗତ ବାଲ ଠାକରେଙ୍କ ଦ୍ୱାରା ଗଠିତ ଶିବସେନା ମୁମ୍ବାଇ (ମହାରାଷ୍ଟ୍ର)ରେ ପ୍ରବାସୀ ଭାରତୀୟଙ୍କ ଉପରେ ବିଶେଷ ଭାବରେ ବିହାର ଏବଂ ପୂର୍ବାଞ୍ଚଳବାସୀଙ୍କ ପ୍ରତି ଆକ୍ରାମଣାତ୍ମକ ଆଚରଣ ପ୍ରଦର୍ଶନ କରୁଥିଲେ। ହେଲେ ଆଦିତ୍ୟ ଠାକରେ ଏବେ ଏହି ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ବିହାର ଗସ୍ତ କରିଥିବା ଶୁଣିବାକୁ ମିଳୁଛି।

ଶିବସେନାର ଜଣେ ଯୁବ ନେବା ଭାବେ ଏହା ଆଦିତ୍ୟ ଠାକରେଙ୍କ ପ୍ରଥମ ବିହାର ଗସ୍ତ। ଏହି ସମୟରେ ‘ବିପକ୍ଷ ଏକତା’ ଚର୍ଚ୍ଚା ଜୋର ଧରିଛି। ହେଲେ ଆଦିତ୍ୟ ଠାକରେ ଗଣମାଧ୍ୟମକୁ କହିଛନ୍ତି, ହିନ୍ଦୀ ଭାଷାଭାଷୀ ଉତ୍ତର ଭାରତୀୟଙ୍କ ଶତ୍ରୁମାନେ ବର୍ତ୍ତମାନ “ବିଜେପି ସହ” ଅଛନ୍ତି। ଯେତେବେଳେ ଆମେ ମହାରାଷ୍ଟ୍ରରେ କ୍ଷମତାରେ ଥିଲୁ, ସେତେବେଳେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ “ଶାନ୍ତିପୂର୍ଣ୍ଣ ସହଭାଗିତା” ରହିଥିଲା।

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ କାମକୁ ଖୁବ୍‌ ପ୍ରଶଂସା କରି ଆଦିତ୍ୟ ଠାକରେ କହିଛନ୍ତି, ଏହା ମୋର ପ୍ରଥମ ବିହାର ଗସ୍ତ ହୋଇଥିଲେ ବି ପୂର୍ବରୁ ଯୁବ ଆରଜେଡି ନେତାଙ୍କ ସହ ଯୋଗାଯୋଗରେ ଥିଲି। ହେଲେ ଏହା ଆମର ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ। ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିବା ଘଟଣାକୁ ସେ ଅସ୍ୱୀକାର କରିଛନ୍ତି।

ଆଗକୁ ମୁମ୍ବାଇ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ​​ତେଜସ୍ୱୀ ଯାଦବ ଶିବସେନା ପାଇଁ ପ୍ରଚାର କରିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ନିର୍ବାଚନ ବହୁତ ଦୂରରେ ବୋଲି କହିଛନ୍ତି ଆଦିତ୍ୟ ଠାକରେ।ଏଥିସହ ସେ କହିଛନ୍ତି, “ମୁଁ ତେଜସ୍ୱୀ ଯାଦବଙ୍କୁ ମହାରାଷ୍ଟ୍ରର ଏକ ବ୍ୟକ୍ତିଗତ ଭ୍ରମଣରେ ଆସିବାକୁ ନିମନ୍ତ୍ରଣ କରିଛି। ସେ ବି ମୋତେ ବିହାରର ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି।”

Leave A Reply

Your email address will not be published.