ବିଜେପି କହିଲା ସଚିନ ପାଇଲଟ ପାଖରେ ଆମର ଆବଶ୍ୟକତା ନାହିଁ
ଜୟପୁର: ରାଜସ୍ଥାନରେ କଂଗ୍ରେସ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ନିଜକୁ ଝାଡ଼ି ଦେଇଛି ବିଜେପି। ଏପରିକି ମୁଖ୍ୟମନ୍ତ୍ରୀ-ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ଏହି କଳି ପଛରେ ଦଳର କୌଣସି ହାତ ନ ଥିବା ସଫେଇ ଦେଇଛି ବିଜେପି। ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଟାର୍ଗେଟ କରି ଗଦ୍ଦାର ବୋଲି କହିଥିଲେ। ଏଥିସହ ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ମଧ୍ୟ ସେ କହିଥିଲେ। ଏହାକୁ ନେଇ ରାଜସ୍ଥାନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।
ହାବାଦ ଏହି କଳି ଭିତରକୁ ବିଜେପିକୁ ଟାଣିଛନ୍ତି ଗେହଲଟ। ରାଜ୍ୟରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ପାଇଲଟ କ୍ୟାମ୍ପର ପ୍ରତ୍ୟେକ ବିଧାୟକଙ୍କୁ ବିଜେପି ୧୦ କୋଟି ଟଙ୍କା ଲେଖାଏଁ ପଠାଇଥିବା ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସଫେଇ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ। ସେ କହିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ପାଇଁ ବିଜେପିକୁ ଦାୟୀ କରିବା ଭୁଲ। ଏଥିରେ କୌଣସି ସତ୍ୟତା ନାହିଁ। ଏଥିସହ ସେ କହିଛନ୍ତି, ଆମକୁ ପାଇଲଟଙ୍କ ପରି ନେତାଙ୍କର କୌଣସି ଆବଶ୍ୟକତା ନାହିଁ।
ରାଜ୍ୟରେ କଂଗ୍ରେସ ସରକାରଙ୍କୁ ମାଟି ମିଶାଇବାକୁ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଜେପି କ୍ୟାମ୍ପରେ ମିଶିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ଏପରିକି ପାଇଲଟ କ୍ୟାମ୍ପର ପ୍ରତ୍ୟେକ ବିଧାୟକଙ୍କୁ ବିଜେପି ୧୦ କୋଟି ଲେଖାଏଁ ଦେଇଥିବା ଅଭିଯୋଗ ଆଣିଛନ୍ତି ଗେହଲଟ। ହେଲେ ଏପରି ଅପ୍ରଚାରର ଉତ୍ତର ଦେଇ ବିଜେପି ପକ୍ଷରୁ କଂଗ୍ରେସ ଅଭିଯୋଗରେ କୌଣସି ଦମ୍ ନ ଥିବା କୁହାଯାଇଛି।
ପୁନିଆ କହିଛନ୍ତି, ଏହା ସେମାନଙ୍କ ନିଜସ୍ୱ ସମସ୍ୟା। ଆମେ କେବେ କେଉଁ ସରକାର ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇନୁ। ଏହା ସେମାନଙ୍କ ଭୁଲ୍ ହୋଇଥିବା ବେଳେ ନିଜକୁ ବଞ୍ଚାଇବାକୁ ଗେହଲଟ ଏବେ ବିଜେପି ଉପରେ ଦୋଷାରୋପ କରିଛନ୍ତି। ଏଥିସହ ସେ କହିଛନ୍ତି କଂଗ୍ରେସର ଏହି ହାଇ ପ୍ରୋଫାଇଲ କଳିରେ ରାଜ୍ୟବାସୀ ନାକେଦମ ହୋଇଗଲେଣି।