ନିର୍ବାଚନ କମିଶନର ନିଯୁକ୍ତିକୁ ନେଇ ମୁହାଁମୁହିଁ ହେଲେ କେନ୍ଦ୍ର ଓ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅରୁଣ ଗୋଏଲଙ୍କୁ ଯେଉଁ ଢଙ୍ଗରେ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି ତାହାକୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ତରବର ହୋଇ କାହିଁକି ଏଭଳି ନିଯୁକ୍ତି ଦେଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ ଏହି ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ଯୁକ୍ତି କରିଛନ୍ତି। ତେବେ କୋର୍ଟ କହିଛନ୍ତି ଯେ ଆବଶ୍ୟକ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ସରକାର ନିଯୁକ୍ତି ଦେଲେ, ଅଦାଲତ ଏହାକୁ ରଦ୍ଦ କରିପାରିବେ।
ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏବଂ ନିର୍ବାଚନ କମିସନର (ଇସି)ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଚ୍ୟାଲେଂଜ କରି ସୁପ୍ରିମ୍କୋର୍ଟରେ ଆଗତ ପିଟିସନ ଉପରେ ଆଜି ତୃତୀୟ ଦିନ ଧରି ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜଷ୍ଟିସ୍ କେଏମ୍ ଯୋଶେଫ୍ଙ୍କ ନେତୃତ୍ବାଧୀନ ସମ୍ବିଧାନ ପୀଠ ନିଯୁକ୍ତି ପ୍ରକ୍ରିୟାକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି। କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ଫାଇଲ ଆଜି କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ଉପସ୍ଥାପନ କରିଥିଲେ। ଏହି ଫାଇଲ ଦେଖିବା ପରେ ପୀଠ କହିଛନ୍ତି ଯେ ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ‘ସୁପର୍ ଫାଷ୍ଟ୍’ ବେଗରେ ହୋଇଛି। ଏତେ ତରତରରେ କାହିଁକି ପ୍ରକ୍ରିୟା ଶେଷ କରାଯାଇଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଥିଲେ ଯେ ଗୋଏଲଙ୍କ ଯୋଗ୍ୟତାକୁ ନେଇ ଆମେ ପ୍ରଶ୍ନ କରୁନୁ। ପ୍ରଶ୍ନ ହେଉଛି ନିଯୁକ୍ତି ପ୍ରକ୍ରିୟାକୁ ନେଇ। କମିସନର ପଦବି ମଇ ମାସରୁ ଖାଲି ପଡ଼ିଥିବା ବେଳେ ନଭେମ୍ବର ୧୮ ତାରିଖ ଗୋଟିଏ ଦିନରେ ହିଁ ଆବେଦନ, ସୁପାରିସ ଏବଂ ନିଯୁକ୍ତି କିପରି ଏବଂ କାହିଁକି କରାଗଲା? ଏହା ପଛର ରହସ୍ୟ କଣ?
ଅଦାଲତରେ କେନ୍ଦ୍ର ପକ୍ଷରୁ ଗୋଏଲଙ୍କ ନିଯୁକ୍ତି ଫାଇଲ ଉପସ୍ଥାପନ କରାଯିବା ସହ ନ୍ୟାୟପାଳିକାର ଲକ୍ଷ୍ମଣ ରେଖା ସଂପର୍କରେ ସ୍ମରଣ କରାଇ ଦିଆଯାଇଛି। ସିଇସି-ଇସି ନିଯୁକ୍ତି ପ୍ରକ୍ରିୟାରେ ନ୍ୟାୟପାଳିକା ଆଦୌ ହସ୍ତକ୍ଷେପ କରିପାରିବ ନାହିଁ। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ସାମିଲ କରାଗଲେ ବ୍ୟବସ୍ଥା ସୁଧୁରି ଯିବ ବୋଲି ମଧ୍ୟ ଅଦାଲତଙ୍କ ବୟାନ ଗ୍ରହଣୀୟ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ ଆର୍. ଭେଙ୍କଟରମଣୀ କହିଥିଲେ। ସୁପ୍ରିମ୍କୋର୍ଟ ନିଜ କ୍ଷମତା ବାହାରକୁ ଯାଇ ହସ୍ତକ୍ଷେପ କଲେ ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ସମ୍ବିଧାନ ପୀଠ କହିଛନ୍ତି ଯେ ଯଦି ଆବଶ୍ୟକ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ସରକାର ନିଯୁକ୍ତି ଦେବେ ତା’ହେଲେ ଅଦାଲତ ଏହାକୁ ରଦ୍ଦ କରିପାରିବେ। ଶୁଣାଣି ପରେ ସୁପ୍ରିମ୍କୋର୍ଟ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୫ ଦିନ ମଧ୍ୟରେ ଲିଖିତ ଯୁକ୍ତି ଦାଖଲ କରିବା ଲାଗି କୋର୍ଟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।