ନୂଆଦିଲ୍ଲୀ (ଆମ ଟିଭି): ଜାତୀୟ ରାଜନୀତିରେ ଆପ୍ ଏବଂ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ବିଜେପି ଇଡି ଓ ସିବିଆଇକୁ ଅପବ୍ୟବହାର କରାଉଥିବା ଆପ୍ କହିଛି । ଏହାରି ଭିତରେ ଦେଶର ରାଜଧାନୀ ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ଅବକାରୀ ନୀତି ପ୍ରଣୟନରେ ଦିଲ୍ଲୀର କ୍ଷମତାସୀନ ଆପ୍ ସରକାର ବ୍ୟାପକ ହେରଫେର କରିଥିବା ଅଭିଯୋଗ ଆସିବା ପରେ ଉଭୟ ସିବିଆଇ ଓ ଇଡି ଘଟଣାର ତଦନ୍ତ କରିଥିଲେ। ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ଉଭୟ ସିବିଆଇ ଓ ଇଡି ତାଙ୍କୁ ଜେରା କରିବା ସହ ତାଙ୍କ ଠିକଣାରେ ରେଡ୍ ମଧ୍ୟ କରିଥିଲେ। ହେଲେ ଏବେ ସିବିଆଇ ପୂରା ଘଟଣାରେ ଦାଖଲ କରିଥିବା ଚାର୍ଜଶିଟ୍ରେ ସିସୋଦିଆଙ୍କ ନାଁ ହିଁ ନାହିଁ।
ଆଜି ଦିଲ୍ଲୀର ଗୋଟିଏ କୋର୍ଟରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରଥମ ଚାର୍ଜଶିଟ ଦାଖଲ କରିଛି। କିନ୍ତୁ ଏହି ଚାର୍ଜଶିଟରେ ସିସୋଦିଆଙ୍କ ବିଷୟରେ କିଛି ବି କୁହାଯାଇନି। ତାଙ୍କ ନାଁ ଚାର୍ଜଶିଟରେ ନଥିଲେ ମଧ୍ୟ ତାଙ୍କ ବିରୋଧରେ ଏବେ ବି ତଦନ୍ତ ଜାରି ରହିଥିବା ସିବିଆଇ କହିଛି। ଏହାର ଅର୍ଥ ତାଙ୍କ ବିରୋଧରେ ଏଯାଏ ଦୁର୍ନୀତି କରିଥିବାର ପ୍ରମାଣ ମିଳିନି। ଏହି କାରଣ ପାଇଁ ସମ୍ଭବତଃ ସିବିଆଇ ତାଙ୍କ ନାଁ ଚାର୍ଜଶିଟରେ ଉଲ୍ଲେଖ କରିନାହିଁ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଏହା ସିବିଆଇର ପ୍ରଥମ ଚାର୍ଜଶିଟ୍। ଏଥିରେ ୭ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।