‘ଦ କଶ୍ମୀର ଫାଇଲ୍ସକୁ ନେଇ ବିବାଦୀୟ ବୟାନ ପରେ କ୍ଷମା ମାଗିଲେ ନାଦଭ ଲ୍ୟାପିଡ,
ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ସମ୍ପର୍କରେ କଡ଼ା ଟିପ୍ପଣୀ କରି ବିବାଦ ଘେରକୁ ଆସିଥିବା ଇସ୍ରାଏଲ ଫିଲ୍ମ ନିର୍ମାତା ନାଦଭ ଲ୍ୟାପିଡ ‘ସଂପୂର୍ଣ୍ଣ କ୍ଷମା’ ମାଗିଛନ୍ତି। ଯଦି ଦ କଶ୍ମୀର ଫାଇଲ୍ସ ସମ୍ପର୍କରେ ଦେଇଥିବା ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି କିମ୍ବା ଏହାକୁ କେହି ଭୁଲ ଭାବେ ବୁଝିଛନ୍ତି, ତା’ହେଲେ ସେ କ୍ଷମା ମାଗୁଛନ୍ତି। ହେଲେ କଶ୍ମୀର ପଣ୍ଡିତ କିମ୍ବା ପ୍ରଭାବିତ ହୋଇଥିବା ଲୋକଙ୍କୁ ଅପମାନିତ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ଲ୍ୟାପିଡ କହିଛନ୍ତି।
ଗୋଆରେ ଶେଷ ହୋଇଥିବା ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ବିବାଦୀୟ ଫିଲ୍ମ ଦ କଶ୍ମୀର ଫାଇଲ୍ସର ସ୍କ୍ରିନିଂ ଅନୁମତିକୁ ନେଇ ଲ୍ୟାପିଡ ଆପତ୍ତି ଉଠାଇଥିଲେ। ଆଇଏଫ୍ଏଫ୍ଆଇ ଜୁରୀମାନେ ଏହି ଫିଲ୍ମକୁ ନିନ୍ଦା କରିଥିବା ଲ୍ୟାପିଡ କହିଥିଲେ।
ସେ କହିଥିଲେ ଯେ ଦ କଶ୍ମୀର ଫାଇଲ୍ସ ହେଉଛି ଗୋଟିଏ ଅଶ୍ଳୀଳ ଓ ଅପ୍ରଚାର କରୁଥିବା ବିଷୟବସ୍ତୁ ଉପରେ ଆଧାରିତ ସିନେମା। ଫିଲ୍ମ ଫେଷ୍ଟିଭାଲ୍ରେ ଏହି ପ୍ରକାରର ଫିଲ୍ମକୁ ଦେଖି ମୁଁ ଚକିତ। ଫିଲ୍ମ ମହୋତ୍ସବରେ ଏହି ପ୍ରକାରର ଫିଲ୍ମର ସ୍କ୍ରିନିଂକୁ ଦେଖି ସମସ୍ତ ଜୁରୀ ସଦସ୍ୟ ସ୍ତବ୍ଧ ଅଛନ୍ତି। କିଭଳି ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଲା ତାକୁ ନେଇ ବି ମୁଁ ଚକିତ ବୋଲି ସେ କହିଥିଲେ।
ବାସ୍ ଏହି ସମାଲୋଚନାକୁ ନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ସେମାନେ ଲ୍ୟାପିଡକୁ ସମାଲୋଚନା କରିବା ସହ ସେ କୁଆଡେ ୧୯୯୦ ମସିହାରେ ଜମ୍ମୁ-କଶ୍ମୀରରୁ ବିସ୍ଥାପିତ ଓ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା କଶ୍ମୀର ପଣ୍ଡିତଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଲ୍ୟାପିଡ ନିଜର ପକ୍ଷ ରଖିଛନ୍ତି।
ସିଏନଏନ ନ୍ୟୁଜ ୧୮କୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ମୁଁ କାହାକୁ ଅପମାନିତ କରିବାକୁ ଚାହିଁନାହିଁ। ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଅପମାନିତ କରିବାର ଉଦ୍ଦେଶ୍ୟ ମୋର ନଥିଲା। ଯଦି ମୋ ବୟାନକୁ କେହି ସେଭଳି ଭୁଲ ଭାବେ ବିଚାରକୁ ନେଇଛନ୍ତି, ତା’ହେଲେ ମୁଁ ସେମାନଙ୍କୁ ସଂପୂର୍ଣ୍ଣ ଭାବେ କ୍ଷମା ମାଗୁଛି।