ଜୀ-ସାର୍ଥକରେ ଆସୁଛି ଏକ ନିଆରା ପ୍ରେମ କାହାଣୀ; ଅକ୍ଟୋବର ୪ରେ ‘ଅଧୁରା ପ୍ରେମ କାହାଣୀ’ର ମହାପ୍ରିମିୟର

0

ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ-ସାର୍ଥକ’ ପରଦାକୁ ଆସୁଛି ଏକ ନୂଆ ତଥା ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ‘ଅଧୁରା ପ୍ରେମ କାହାଣୀ’। ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟା ୬:୩୦ ମିନିଟ୍‌ରେ ଏହି ସିନେମାର ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରର କାହାଣୀ ରାହୁଲ ନାମକ ଜଣେ ଯୁବ ତଥା ପ୍ରତିଭାବାନ ଗାୟକଙ୍କ ଜୀବନ ଉପରେ ଆଧାରିତ। ବହୁତସାରା ବାଧାବିଘ୍ନ ଓ ସଂଘର୍ଷ ସତ୍ତ୍ୱେ ସଙ୍ଗୀତ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବାର ସ୍ୱପ୍ନ ଦେଖିଛି ରାହୁଲ। ତା’ର ଏହି କଠିନ ଯାତ୍ରାରେ ତାକୁ ସର୍ବଦା ପ୍ରେମ ଓ ପ୍ରେରଣା ଯୋଗାଇ ଆସିଛି ତା’ର ପ୍ରେମିକା କିରଣ। କିନ୍ତୁ ସଫଳତାର ଶୀର୍ଷରେ ପହଞ୍ଚିବା ବେଳକୁ ରାହୁଲର ଜୀବନରେ ଆସେ ଅଙ୍କିତା। ଏହାପରେ କାହାଣୀ ଏକ ନୂଆ ମୋଡ଼ ନିଏ । ଗ୍ଲାମର ଦୁନିଆର ମାୟା, ଅହଂକାର, ପ୍ରତିଯୋଗିତା ଏବଂ ପ୍ରତାରଣା ଭିତରେ ରାହୁଲ ନିଜର ସବୁଠାରୁ ପ୍ରିୟ ମଣିଷଙ୍କଠାରୁ ଦୂରେଇ ଯାଉଛି ନା କିରଣର ପ୍ରେମ ଫେରିପାଇବାକୁ ଚେଷ୍ଟା କରୁଛି , ତାହା ହିଁ ସିନେମାର ମୂଳବସ୍ତୁ। ସଫଳତା ପାଇଁ ମଣିଷକୁ କେତେ ବଡ଼ ବଳିଦାନ ଦେବାକୁ ପଡ଼େ ଏବଂ କିପରି ଏକ ସୁନ୍ଦର ପ୍ରେମ କାହାଣୀ ‘ଅଧୁରା’ ରହିଯାଏ, ତାହା ଦର୍ଶକଙ୍କ ଆଖିରେ ଲୁହ ଆଣିଦେବ।

 

ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ତାରକା ସୁଭାଶିଷ, ସୂର୍ଯ୍ୟମୟୀ ଏବଂ ପୁନମ୍। ସେହିପରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ବରିଷ୍ଠ ଅଭିନେତା ଶ୍ରୀତମ୍ ଦାସ ଏବଂ ହାସ୍ୟାଭିନେତା ପ୍ରଜ୍ଞା ଖଟୁଆ ନିଜର ଚମତ୍କାର ଅଭିନୟର ଯାଦୁ ଦେଖାଇବେ।

 

ଏହି ସ୍ୱତନ୍ତ୍ର ପ୍ରିମିୟର ଅବସରରେ ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀଯୁକ୍ତ ରାହୁଲ ରାଓ ଓଡ଼ିଶାର ଦର୍ଶକମାନଙ୍କୁ ଉଦ୍ଦେଶ୍ୟ କରି ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି “ଜୀ-ସାର୍ଥକ ସର୍ବଦା ଆମ ଦର୍ଶକମାନଙ୍କୁ ନୂଆ, ମାର୍ମିକ ଏବଂ ପାରିବାରିକ କାହାଣୀ ଭେଟିଦେବାକୁ ପ୍ରୟାସ କରିଆସିଛି। ‘ଅଧୁରା ପ୍ରେମ କାହାଣୀ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ସ୍ୱପ୍ନ, ସଫଳତା ଏବଂ ପ୍ରେମ ଭିତରେ ଥିବା ଏକ ବାସ୍ତବ ଯୁଦ୍ଧର ନିଚ୍ଛକ ଚିତ୍ରଣ। ମୁଁ ସମସ୍ତ ଓଡ଼ିଆ ଦର୍ଶକଙ୍କୁ ଅନୁରୋଧ କରୁଛି ଯେ, ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟା ୬:୩୦ ମିନିଟ୍‌ରେ ନିଜ ପରିବାର ସହିତ ବସି ଏହି ସିନେମାଟିକୁ ନିଶ୍ଚୟ ଦେଖନ୍ତୁ ଏବଂ ଆମକୁ ଆପଣଙ୍କର ଅଫୁରନ୍ତ ଭଲପାଇବା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ।

ତେଣୁ ଦେଖିବାକୁ ଭୁଲିବେ ନାହିଁ, ସଫଳତା, ତ୍ୟାଗ ଏବଂ ବିଶ୍ୱାସଘାତକତାର ଏକ ଅନନ୍ୟ କାହାଣୀ ‘ଅଧୁରା ପ୍ରେମ କାହାଣୀ’, ଆସନ୍ତା ଅକ୍ଟୋବର ୪ (ଶୁକ୍ରବାର), ସନ୍ଧ୍ୟା ୬:୩୦ ରେ, କେବଳ ଜୀ-ସାର୍ଥକରେ!

Leave A Reply

Your email address will not be published.