ମୁକ୍ତିଲାଭ କଲା ‘ପ୍ରତୀକ୍ଷା ‘, ହାଉସ ଫୁଲ ହେଲା ପ୍ରିମିୟର ଶୋ

0

ଭୁବନେଶ୍ବର (୦୩/୧୨) : ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା ‘ ମୁକ୍ତିଲାଭ କରିଛି। ସମ୍ପୂର୍ଣ୍ଣ ଓଡ଼ିଆ କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନର ପ୍ରିମିୟର ଶୋରେ ହାଉସ ଫୁଲ ହୋଇ ସାଉଁଟିଛି ପ୍ରଶଂସା। ଏହି ଅବସରରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅଭିନେତା ମନୋଜ ମିଶ୍ର,ପାର୍ଥସାରଥୀ, ଉଷଶ୍ରୀ ମିଶ୍ର, ପିଣ୍ଟୁ ନନ୍ଦ, ପୁପିନ୍ଦରଙ୍କ ସହ ଅନେକ ସିନେ କଳାକାର ପହଞ୍ଚି ପ୍ରଥମ ଶୋ ଦେଖିଥିଲେ ଏବଂ ନିର୍ଦ୍ଦେଶନା, ସାଉଣ୍ଡ, ସୁଟିଂ, ରେକଡ଼ିଂ ଆଦି ସହ ଅଭିନେତା, ଅଭିନେତ୍ରୀଙ୍କ ନିଖୁଣ ଅଭିନୟର ଭୁୟସୀ ପ୍ରଶଂସା କରିଥିଲେ।

ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହେବ ସହ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛି । ବିଶିଷ୍ଟ ବଲିଉଡ ଅଭିନେତା ଅନୁପମ ଖେର ଏହାକୁ ହିନ୍ଦୀ ଭାଷାରେ ନିର୍ମାଣ କରିବେ ଏବଂ ନିଜେ ବାପା ଭୂମିକାରେ ଅଭିନୟ କରିବେ ବୋଲି ଘୋଷଣା କରିସାରିଛନ୍ତି ।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।

ବାବୁଶାନଙ୍କ ଅଭିନୀତ ‘ଦମନ’ର ସଫଳତା ପରେ ନିଚ୍ଛକ ଓଡ଼ିଆ ଘରର କାହାଣୀ ଉପରେ ନିର୍ମିତ ‘ପ୍ରତୀକ୍ଷା’ ଦ୍ଵିତୀୟ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ।

Leave A Reply

Your email address will not be published.