ପଦ୍ମପରର ନିର୍ବାଚନ ଫଳାଫଳକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ
ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ବାଜି ମାରି ନେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି। ବର୍ଷା ସିଂ ବରିହାଙ୍କ ପ୍ରତି ବିଜେପି ନେତା ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ କରିବାରୁ ସେ ଜଣେ ବାପା, ଭାଇ ହିସାବରେ ପଦ୍ମପୁର ଯିବାକୁ ବାଧ୍ୟ ହେଲେ ବୋଲି ନିର୍ବାଚନ ଫଳାଫଳ ବାହାରିବା ପରେ ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏନେଇ ଟ୍ୱିଟ କରି ଜୟନାରାୟଣ କହିଛନ୍ତି, ଗଣତନ୍ତ୍ରରେ ଜନତାଙ୍କ ମତ ସର୍ବାଗ୍ରେ । କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଅତି ଚତୁରତାର ସହ ଭିଡିଓ ବାର୍ତ୍ତା ମାଧ୍ୟମରେ ଏକ ରାଜନୈତିକ ବୟାନ ଦେଇଛନ୍ତି, ତାହାକୁ ନିନ୍ଦା କରୁଛି।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୟନାରାୟଣ କହିଛନ୍ତି, ବିଜେପି ମହିଳା ବିରୋଧୀ ବୋଲି ଆପଣ ଯେଉଁ ଆଖ୍ୟା ଦେଇଛନ୍ତି ତାହା ଯଦି ସତ ହୋଇଥାନ୍ତା ତେବେ ନରେନ୍ଦ୍ର ମୋଦି ନିଜକୁ ଦେଶର ପ୍ରଧାନ ସେବକ ଭାବେ ପ୍ରତିଷ୍ଠିତ କରି ପାରି ନ ଥାନ୍ତେ। ଧାନନଗର ଉପନିର୍ବାଚନରେ ବିଜେପିକୁ ଧାମନଗରବାସୀ ଜିତାଇ ନ ଥାନ୍ତେ ଯଦି ମା’ ଭଉଣୀଙ୍କ ପ୍ରତି ଆମ ଦଳର ସମ୍ମାନ ନ ଥାନ୍ତା । ପଦ୍ମପୁରରରେ ୭୮ ହଜାରରୁ ଊର୍ଦ୍ଧ୍ୱ ଭୋଟର ଆମ ଦଳକୁ ସମର୍ଥନ କରି ନ ଥାନ୍ତେ। ଆପଣ ଓ ଆପଣଙ୍କ ଦଳ ମହିଳାଙ୍କୁ କେତେ ସମ୍ମାନ ଦିଅନ୍ତି, ତାହା ପରୀ, ମମିତା, ବେବିନା, ଇତିଶ୍ରୀ, କୁନ୍ଦୁଲି ଦୁଷ୍କର୍ମ ଘଟଣାରୁ ସ୍ପଷ୍ଟ ଅନୁମେୟ ।
ଆପଣ ଦଳର ସଭାପତି ହିସାବରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ପଦ୍ମପୁର ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରାର୍ଥିଙ୍କୁ ଝିଅ ବୋଲି ସମ୍ବୋଧନ ନକରି ଏବେ ବିଜୟ ଲାଭ ପରେ ନୂଆ କାହାଣୀ ରଚି ସମବେଦନା ଗୋଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ ରେଳ ଲାଇନ ପାଇଁ ଜମି ଦେଇଛନ୍ତି କି?କେନ୍ଦୁପତ୍ରର ଜିଏସ୍ଟିର ଅଧା ୯% ଆପଣ ନେଉଛନ୍ତି କି ନାହିଁ? ଫସଲ ବୀମାରେ ଘରୋଇ ବ୍ୟାଙ୍କ ଏଚଡିଏଫସିକୁ ଆପଣ ସାମିଲ କରିଥିଲେ କି ନାହିଁ? ଆପଣ ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ଶହେ କୋଟି ବୋନସ ଦେଇଛନ୍ତି କି ?