ବିଜେପିକୁ ହରାଇବାକୁ ଟିପ୍ସି ଦେଲେ ନୀତିଶ
ପାଟନା: ହେଲେ ବିଜେପି ବିରୋଧରେ କେମିତି ଅନ୍ୟ ଦଳଗୁଡ଼ିକ ବହୁମତ ହାସଲ କରିବେ, ସେନେଇ ବଡ଼ କଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ପୂର୍ବରୁ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଥିବା ନୀତୀଶ କୁମାର ଏବେ ପୁରୁଣା କଥା ଦୋହରାଇଛନ୍ତି।ସେ କହିଛନ୍ତି, ୨୦୨୪ରେ କୌଣସି ପ୍ରକାରର ତୃତୀୟ ସାମ୍ମୁଖ୍ୟ ହେବନି। ଆଗାମୀ ଦିନରେ ଯାହା ବି ଗଠନ ହେବ, ତା’ହା ମୁଖ୍ୟ ସାମ୍ମୁଖ୍ୟ ଭାବେ ପରିଚୟ ହାସଲ କରିବ। ବିଜେପି ବିରୋଧୀ ଦଳଗୁଡ଼ିକ ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିପାରିବେ। କିନ୍ତୁ ଯଦି ସେମାନେ ଏକାଠି ହୋଇପାରିବେ, ତା’ହେଲେ ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି।
ଏଥିସହ ସେ ଏହାକୁ ବାସ୍ତବ ରୂପ ଦେବାକୁ କାମ କରିବେ। କିନ୍ତୁ ସବୁ କିଛି ବିରୋଧୀ ଦଳଗୁଡ଼ିକ ଉପରେ ନିର୍ଭର କରେ ବୋଲି ନୀତୀଶ କୁମାର କହିଛନ୍ତି।
ବିହାରରେ ବିଜେପି ଠାରୁ ଅଲଗା ହୋଇ ନୀତୀଶ କୁମାର ଅଗଷ୍ଟ ମାସରୁ ଜେଡିୟୁ ସହ ମିଶି ସରକାର ଗଠନ କରିଛନ୍ତି। ଏହାପରେ ସେ ସମ ଚିନ୍ତାଧାର ବିଶିଷ୍ଟ ଦଳଗୁଡ଼ିକ ନେତାଙ୍କ ସହ ଆଲୋଚନା କରି ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।
ନୀତୀଶ କୁମାର ବିଭିନ୍ନ ରାଜନୀତିକ ଦଳର ନେତାଙ୍କୁ ଭେଟିବାରୁ ସେ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କିଛି ଲୋକ କହିଥିଲେ। ହେଲେ ନୀତୀଶ କୁମାର ଏହାକୁ ଅଗ୍ରାହ୍ୟ କରିଛନ୍ତି।
ନୀତୀଶ କୁମାର ଏବେ କହିଛନ୍ତି, ୨୦୨୦ରେ ବିଜେପି ଓ ଜେଡିୟୁ ଏକାଠି ବିଧାନସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ବିଜେପି ନିର୍ବାଚନ ବେଳେ ଜେଡିୟୁ ବିରୋଧରେ କାମ କରିଥିଲା। ଏଥିପାଇଁ ଜେଡିୟୁର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
କୌଣସି ରାଜନୀତିକ ଦଳର ନାଁ ନ ନେଇ ଜେଡିୟୁ ସୁପ୍ରିମୋ କହିଛନ୍ତି, “ସେମାନେ(ବିଜେପି) ମନେ ରଖିବା ଦରକାର ଯେ ଆମ ପାର୍ଟି କେବେ ହେଲେ ଏତେ କମ ଆସନ ଜିତି ନଥିଲା। ୨୦୦୫ ହେଉ କି ୨୦୧୦ ବିଧାନସଭା ନିର୍ବାଚନ, ଜେଡିୟୁ ଅଧିକ ଆସନ ଜିତିଥିଲା। ୨୦୨୦ ବିଧାନସଭା ନିର୍ବାଚନରେ ଆମର ଆସନ ସଂଖ୍ୟା କମିଥିଲା। କାରଣ ସେମାନେ ଜେଡିୟୁ ପ୍ରାର୍ଥୀ ହାରନ୍ତୁ ବୋଲି ସବୁ ପ୍ରକାରର ଉଦ୍ୟମ କରିଥିଲେ।
ମିଡିଆର ବନ୍ଧୁମାନଙ୍କୁ କିଛି ନିର୍ଦ୍ଦିଷ୍ଟ ରିପୋର୍ଟ ଫାଇଲ କରିବାକୁ ଅନୁମତି ଦିଆଯାଉନି। କିନ୍ତୁ ସବୁ କିଛିର ରେକର୍ଡ ସମସ୍ତଙ୍କ ପାଖରେ ରହିଛି। ଥରେ ସେମାନେ କ୍ଷମତାରୁ ଚାଲି ଯାଆନ୍ତୁ। ମିଡିଆ ସବୁ କିଛି ପବ୍ଲିଶ କରିବ।”