ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’କୁ ନେଇ ECMWF ଓ GFS ମଡେଲର ବଡ଼ ଆକଳନ । ୨୮ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ ସମ୍ଭାବନା!। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆସିଲା ନୂଆ ଆକଳନ। ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲକୁ ନେଇ ଦୁଇ ପ୍ରମୁଖ ପାଣିପାଗ ମଡେଲ୍ ECMWF ଏବଂ GFS ଭିନ୍ନ ଭିନ୍ନ ଚିତ୍ର ଦେଖାଇଛନ୍ତି। ତେବେ ଉଭୟ ମଡେଲ୍ ର ଆକଳନ ଅନୁସାରେ ଆସନ୍ତା ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। Windy.comରେ ଉପଲବ୍ଧ ସଦ୍ୟତମ ମଡେଲ୍ ଭିଜୁଆଲାଇଜେସନ୍ ଅନୁସାରେ, ୟୁରୋପୀୟ ପାଣିପାଗ ମଡେଲ୍ ECMWF ୨୮ ତାରିଖ ବୁଧବାର ରାତି ଗୋଟାଏ ବେଳକୁ ବାତ୍ୟାର ଆଖି ବିଶାଖାପାଟଣାର ଦକ୍ଷିଣରେ ଉପକୂଳ ନିକଟରେ ରହିବାର ସଙ୍କେତ ଦେଇଛି ।
ଏହି ସମୟରେ ବାତ୍ୟାର କେନ୍ଦ୍ର ଉପକୂଳକୁ ଲାଗି ରହିଥିବା ବେଳେ ବିଶାଖାପାଟଣା ଓ ଏହାର ଦକ୍ଷିଣ ଅଞ୍ଚଳରେ ପବନର ବେଗ ଅଧିକ ରହିପାରେ। ଅନ୍ୟପଟେ ଆମେରିକୀୟ ପାଣିପାଗ ମଡେଲ୍ GFS ଭିନ୍ନ ଆକଳନ କରିଛି। ଏହି ମଡେଲ୍ ଅନୁସାରେ ୨୮ ତାରିଖ ଅପରାହ୍ଣ ଗୋଟାଏ ବେଳକୁ ବାତ୍ୟାର କେନ୍ଦ୍ର ସ୍ଥଳଭାଗକୁ ପ୍ରବେଶ କରି ବିଜୟୱାଡ଼ା ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚି ସାରିଥିବ। ଅର୍ଥାତ୍ ECMWF ତୁଳନାରେ GFS ମଡେଲ୍ ବାତ୍ୟାର ଗତିପଥକୁ ଅଧିକ ଦକ୍ଷିଣ ଦିଗରେ ଦର୍ଶାଉଛି। କାକିନାଡ଼ାରୁ ମଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ୍ ସମ୍ଭାବନାକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।
ଏପଟେ ଭାରତୀୟ ପାଣିପାଗ ବିଭାଗ ବା IMDର ଆକଳନ ଅନୁସାରେ, ୨୬ ତାରିଖ ସକାଳ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ପାଣିପାଗ ପ୍ରଣାଳୀ ବାତ୍ୟାର ରୂପ ନେଇପାରେ। ଏହାପରେ ୨୮ ତାରିଖ ସକାଳ ବେଳକୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ବାତ୍ୟା ପ୍ରଭାବରେ ୨୬ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଉପକୂଳ ନିକଟକୁ ଆସିବା ସହ ବାତ୍ୟା ଆହୁରି ଶକ୍ତିଶାଳୀ ହେବାର ଆଶଙ୍କା ମଧ୍ୟ ରହିଛି।
ବିଶେଷକରି ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । କିଛି ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ବିପଦପୂର୍ଣ୍ଣ ସମୁଦ୍ର ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ବାତ୍ୟାର ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥାନ କେଉଁଠି ହେବ ଏବଂ ସ୍ଥଳଭାଗ ଛୁଇଁବା ବେଳେ ଏହାର ତୀବ୍ରତା କେତେ ରହିବ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ବାତ୍ୟାର ଉତ୍ତରରେ ରହିଥିବା ଉଚ୍ଚଚାପ ବଳୟ ଏହାର ଗତିପଥକୁ ପ୍ରଭାବିତ କରୁଛି। ବର୍ତ୍ତମାନର ମଡେଲ୍ ଆକଳନରେ ବିଶାଖାପାଟଣାରୁ କାକିନାଡ଼ା ଓ ମଛଲିପଟ୍ଟନମ୍ ଉପକୂଳ ପର୍ଯ୍ୟନ୍ତ ସମ୍ଭାବ୍ୟ ପ୍ରଭାବର ସଙ୍କେତ ମିଳୁଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପବନ ଓ ପ୍ରବଳ ବର୍ଷାର ପ୍ରଭାବ ପଡ଼ିପାରେ ।