ଭୁବନେଶ୍ୱର(ଆମ ଟିଭି): ଖୁବଶୀଘ୍ର ରାଉରକେଲାକୁ ଉଡ଼ିବ ବିମାନ । ଆସନ୍ତା କିଛି ଦିନ ମଧ୍ୟରେ ରାଉରକେଲା ବିମାନ ବନ୍ଦର କାର୍ୟ୍ୟକ୍ଷମ ହେବ ଓ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ଏଠାରୁ ବିମାନ ଚଳପ୍ରଚଳ କରିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ସମେତ ରାଉରକେଲା ବିମାନ ବନ୍ଦର ଓ ଅନ୍ୟାନ୍ୟ ଭିତ୍ତିଭମି ନିର୍ମାଣ କାର୍ୟ୍ୟର ଅଗ୍ରଗତିର ସମୀକ୍ଷା କରିବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଉରକେଲା ବିମାନ ବନ୍ଦରର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି ।
ଏୟାରଷ୍ଟ୍ରିପ ନିର୍ମାଣ ଓ ଟର୍ମିନାଲ କୋଠା ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ଡିଜିସିଏ ମଧ୍ୟ ଅନୁଧ୍ୟାନ କରିସାରିଛନ୍ତି । ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବ ବୋଲି ସେ ଆଶା କରୁଛନ୍ତି । ଉଡ଼ାଣ ଯୋଜନାରେ ଖେଳାଳିମାନଙ୍କ ପାଇଁ ୪ଟି ବିମାନ ଉଡ଼ାଣ ସୁବିଧା ମିଳିବ । ପ୍ରାଥମିକ ପର୍ୟ୍ୟାୟରେ ‘ଏଲାଏନ୍ସ ଏୟାର’ ଏୟାରଲାଇନ ଉଡ଼ାଣ ଯୋଜନାରେ ବିମାନ ସେବା ଯୋଗାଇ ଦେବ ।