୨୦୨୨ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଡ ଗାୟତ୍ରୀବାଳା ପଣ୍ଡା

0

ନୂଆଦିଲ୍ଲୀ (ଆମ ଟିଭି): ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ୨୦୨୨ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଓଡ଼ିଆ ଭାଷାରେ ସମ୍ମାନିତ ହେବେ କବି ଡ. ଗାୟତ୍ରୀବାଳା ପଣ୍ଡା । କବିତା ସଂକଳନ “ଦୟାନଦୀ”ପାଇଁ ଏହି ମର୍ୟ୍ୟାଦାଜନକ ପୁରସ୍କାର ତାଙ୍କୁ ମିଳିଥିବା ଘୋଷଣା କରାଯାଇଛି । ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଓ ତାମ୍ର ଫଳକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପ୍ରଦାନ କରାଯିବ ।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବିତା ସଂକଳନ “ଦୟାନଦୀ”୨୦୧୭ରେ ପକ୍ଷୀଘର ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶ ପାଇଥିଲା । କବିତା ସଂକଳନ ‘ଦୟାନଦୀ’ କଳିଙ୍ଗ ଯୁଦ୍ଧ ଉପରେ ଆଧାରିତ । ଏଥିରେ ଉତ୍ସର୍ଗ ଓ ପରିଶିଷ୍ଟକୁ ମିଶେଇ ୬୪ଟି କବିତା ରହିଛି । ଯୁଦ୍ଧର ସମସ୍ତ ବିଭୀଷିକା, ସମସ୍ତ ସ୍ପର୍ଦ୍ଧା ଓ ସମସ୍ତ ଅହଂକାର ଭିତରେ କେବଳ ଗୋଟିଏ ଅନୁଚ୍ଚାରିତ ସ୍ୱର ହିଁ ଗୁଂଜରିତ ହୁଏ, ତାହା ହେଉଛି ପରାଜୟର । ଏହି କବିତା ସବୁ ଇତିହାସର କୌଣସି ତାତ୍ତ୍ୱିକ ଆଲୋଚନା ବା କାବ୍ୟରୂପ ନୁହେଁ ବରଂ ଏହା ଇତିହାସର ନଈରେ ନୌଯାତ୍ରା କରୁଥିବା ଏକ କାବ୍ୟିକ ସମ୍ବେଦନା ।

କଳିଙ୍ଗ ଯୁଦ୍ଧର ଏକମାତ୍ର ସାକ୍ଷୀ ଭାବରେ ଆଜି ବି ଅଛି ଦୟାନଦୀ । ଆଜି ବି ପ୍ରତି ଓଡ଼ିଆର ରକ୍ତରେ ରକ୍ତ ହେଇ ବହୁଛି । ମଣିଷକୁ ମଣିଷପଣିଆ ଆଡ଼େ ବାଟ ଦେଖାଉଛି । ଶାନ୍ତି, ପ୍ରୀତି, ମୈତ୍ରୀର ଜୟଗାନ କରୁଛି । ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ଅଦ୍ୟାବଧି ୨୫ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି । ସେଥିମଧ୍ୟରୁ ଓଡ଼ିଆ ଭାଷାରେ ବାରଟି କବିତା ସଂକଳନ, ଦୁଇଟି ଗଳ୍ପ ସଂକଳନ, ଦୁଇଟି ଉପନ୍ୟାସ ଏବଂ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇଛି ।

Leave A Reply

Your email address will not be published.