ଏଲନ ମସ୍କ୍ ହେବେ ଆମେରିକା ରାଷ୍ଟ୍ରପତି, ଜାଣନ୍ତୁ ଏମିତି କିଏ କହିଲେ
ମସ୍କୋ: ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଡିମିତ୍ରୀ ମେଡଭେଡେଭ ବଡ଼ ଆକଳନ କରିଛନ୍ତି। ୨୦୨୨ ସରିବାକୁ ବସିଥିବା ବେଳେ ସେ ୨୦୨୩ରେ କ’ଣ ସବୁ ଘଟିବ, ସେସବୁର ଆକଳନର ଜ୍ୟୋତିଷଙ୍କ ଭଳି କରିଛନ୍ତି।
ତାଙ୍କ ଆକଳନ କହୁଛି ଯେ ଆସନ୍ତାବର୍ଷ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବ। ଆମେରିକାରେ ଭୟଙ୍କର ଗୃହ ଯୁଦ୍ଧ ଦେଖିବାକୁ ମିଳିବ। ଏହି ଗୃହ ଯୁଦ୍ଧ ଯୋଗୁ ଟେସଲାର ମାଲିକ ଏଲନ ମସ୍କ ଆମେରିକାର ରାଷ୍ଟ୍ରପତି ହେବେ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ପୁଟିନଙ୍କ ସୁରକ୍ଷା ପରାମର୍ଶଦାତା ପରିଷଦର ଡେପୁଟି ଭାବେ କାର୍ଯ୍ୟ କରୁଥିବା ମେଡଭେଡେଭ ୪ ବର୍ଷ ପାଇଁ ରୁଷର ରାଷ୍ଟ୍ରପତି ରହିଥିଲେ। ଏହି ସମୟରେ ପୁଟିନ ରୁଷର ପ୍ରଧାନମନ୍ତ୍ରୀ ଭାବେ କାମ କରୁଥିଲେ। ପୂର୍ବରୁ ପୁଟିନଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣଣା ମେଡଭେଡେଭ ସୋମବାର କ୍ରେମଲିନରେ ନୂଆ ଦାୟିତ୍ୱ ପାଇଥିଲେ।
ସେ ଏଣିକି ପୁଟିନଙ୍କ ଡେପୁଟି ଭାବେ ମିଲିଟାରୀ କାର୍ଯ୍ୟକଳାପ ଉପରେ ନଜର ରଖିବେ। ଏହି ନୂଆ ଦାୟିତ୍ୱ ପାଇବା ପରେ ସେ ୨୦୨୩ ପାଇଁ ଏକାଧିକ ଆକଳନ କରିଛନ୍ତି। ନିଜର ଆକଳନକୁ ସେ ଟେଲିଗ୍ରାମ ଓ ଟ୍ୱିଟର୍ରେ ପୋଷ୍ଟ ମଧ୍ୟ କରିଛନ୍ତି। ସେ କହିଛନ୍ତି, “ବର୍ଷ ଶେଷ ହେବାକୁ ବସିଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାରର ଆକଳନ କରନ୍ତି। କିଛି ଲୋକ ଭିବଷ୍ୟତ ସମ୍ପର୍କରେ ବଡ଼ବଡ଼ ଘୋଷଣା ବି କରନ୍ତି। ମୋ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା।”
ମେଡଭେଡେଭ ଆକଳନ
୨୦୨୩ରେ ଅଶୋଧିତ ତୈଳର ବାରେଲ ପିଛା ଦାମ ୧୫୦ ଡଲାର ଛୁଇଁବ। ୧.୦୦୦ କ୍ୟୁବିକ ମିଟର ଗ୍ୟାସ ଦାମ ରେକର୍ଡ ୫.୦୦୦ ଡଲାର ହେବ।
ବ୍ରିଟେନ ପୁଣିଥରେ ୟୁରୋପୀୟ ୟୁନିୟନରେ ସାମିଲ ହେବ। ବ୍ରିଟେନ ଫେରିବା ପରେ ୟୁରୋପୀୟ ୟୁନିୟନ ଭୁଶୁଡ଼ି ପଡ଼ିବ।ୟ
ପୋଲାଣ୍ଡ ଓ ହଙ୍ଗେରୀ ପଡ଼ୋଶୀ ୟୁକ୍ରେନର ପଶ୍ଚିମାଞ୍ଚଳକୁ ଦଖଲ କରିନେବେ।
ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯୁଦ୍ଧ ହେବ। ଏହି ଯୁଦ୍ଧ ୟୁରୋପକୁ ଭାଗଭାଗ କରିଦେବ। ସବୁଠାରୁ ଅଧିକ କ୍ଷତି ପୋଲାଣ୍ଡ ସହିବ।
ନର୍ଦ୍ଦନ ଆୟର୍ଲ୍ୟାଣ୍ଡ ୨୦୨୩ରେ ବ୍ରିଟେନ ଠାରୁ ଅଲଗା ହୋଇ ରିପ୍ଲବିକ ଅଫ ଆୟର୍ଲ୍ୟାଣ୍ଡରେ ମିଶିବ।
ଆମେରିକାର କାର୍ଲିଫର୍ଣ୍ଣିଆରେ ଗୃହ ଯୁଦ୍ଧ ସୃଷ୍ଟି ହେବ। ଟେକ୍ସାସ ଗୋଟିଏ ସ୍ୱାଧୀନ ପ୍ରଦେଶ ଭାବେ ପରିଚୟ ହାସଲ କରିବ। ଏହାପରେ ମେକ୍ସିକୋ ଓ ଟେକ୍ସାସ ମିଳିତ ଭାବେ ସହଯୋଗୀ ରାଷ୍ଟ୍ରରେ ପରିଣତ ହେବେ।