ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଯୁବତୀଙ୍କୁ ୧୨ କିଲେମିଟର ଘୋଡ଼ାଡ଼ି ନେବା ଘଟଣାକୁ ନେଇ ଏବେ ସାରା ଦେଶରେ ଏକପ୍ରକାର ଆଲୋଡ଼ନ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କଲେ କେନ୍ଦ୍ର ଗୃହମନ୍ତ୍ରୀ । ତୁରନ୍ତ ଏହି ଘଟଣାରେ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ବରିଷ୍ଠ ପୋଲିସ ଅଧିକାରୀ ଶାଳିନୀ ସିଂହଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ଯଥାଶୀଘ୍ର ଏହି ମାମଲାର ତଦନ୍ତ କରି କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି ।
ଶାଳିନୀ ସିଂହଙ୍କୁ ତଦନ୍ତ ଭାର ଦିଆଯିବା ପରେ ସେ ଗତ ରାତିରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳକୁ ଯାଇ ପୋଲିସ ଅଧିକାରୀଙ୍କ ସହ ଘଟଣା ନେଇ ସେ ଆଲୋଚନା କରିଛନ୍ତି । ଦିଲ୍ଲୀରେ ନୂଆବର୍ଷ ଭୋର ସମୟରେ ଅତି ଭୟଙ୍କର ଘଟଣା ଘଟିଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ କାରରେ ଘୋଷାଡ଼ି ଘୋଷାଡ଼ି ୧୨ କିଲୋମିଟର ଯାଏଁ ଟାଣି ନେବା ଭଳି ଏକ ବିଭତ୍ସ ଘଟଣା ସାମ୍ନାକୁ ଆସିଛି । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯେତେବେଳେ ସାରା ଦେଶ ଉତ୍ସବ ମନାଉଥିଲା, ସେତେବେଳେ ଦିଲ୍ଲୀ ରାସ୍ତାରେ ଘଟିଛି ଏହି ଘଟଣା ।
ଦିଲ୍ଲୀର କାଂଝାୱଲାରେ ଘଟିଥିବା ଏହି ଦୁର୍ଘଟଣାରେ ୨୦ ବର୍ଷୀୟ ଅଂଜଳୀ ସିଂହଙ୍କ ମୃତ୍ୟୁ ହୋଇଛି । ପୁଲିସର ସୂଚନା ଅନୁସାରେ ଯୁବତୀଙ୍କ ସ୍କୁଟି ଏକ କାର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାର୍ ଚକ ବମ୍ପର ଭିତରେ ଯୁବତୀଙ୍କ ଶରୀର ଫଶି ରହିଥିଲା । କାରରେ ଥିବା ୫ଜଣ ଅଭିଯୁକ୍ତ କାରକୁ ଅଟକାଇବା ବଦଳରେ ଏହାକୁ ୧୨ କିଲୋମିଟର ଯାଏଁ କାରରେ ଘୋଷାଡି ଘୋଷାଡି ନେଇଯାଇଥିଲେ ।