ଚଳିତ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ

0

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବ। କୋଭିଡ୍‌ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଚାଲିବ। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ କ୍ଲାସ ରହିବ ଆଦି ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପ୍ରତି ସପ୍ତାହରେ ଖେଳ ପିରିୟଡ୍‌, ଲାଇବ୍ରେରି ପିରିୟଡ୍‌, ପ୍ରାକ୍ଟିକାଲ ପିରିୟଡ୍‌ ଆଦି ରଖାଯିବ। ମଧ୍ୟାହ୍ନଭୋଜନ ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟ ଓ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ସମୟ ମଧ୍ୟରେ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।

କୋଭିଡ୍‌ ସଂକ୍ରମଣ ପାଇଁ ଲଗାତାର ତିନିଟି ଶିକ୍ଷାବର୍ଷର ପାଠପଢ଼ା ପ୍ରଭାବିତ ହେବା ପରେ ଏଥର ଟ୍ରାକ୍‌କୁ ଫେରାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ୨୦୨୩-୨୪ ଶିକ୍ଷାବର୍ଷରେ ପୂର୍ଣ୍ଣାଙ୍ଗ ସିଲାବସ୍‌ରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ। ମାର୍ଚ୍ଚ ୩୧ ସୁଦ୍ଧା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଶେଷ କରି ଫଳ ପ୍ରକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ସମୟ ମଧ୍ୟରେ ଅନ୍ୟାନ୍ୟ ଶ୍ରେଣୀଗୁଡ଼ିକର ବାର୍ଷିକ ପରୀକ୍ଷା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଏପ୍ରିଲ ୩ରୁ ଶିକ୍ଷାବର୍ଷ ଆରମ୍ଭ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ତେବେ ପ୍ରଥମ ସପ୍ତାହରେ ନାମଲେଖା ଲାଗି ସଚେତନତା କାର୍ଯ୍ୟକ୍ରମ, ପ୍ରବେଶ ଉତ୍ସବ ଆଦି ଅନୁଷ୍ଠିତ ହେବ।

Leave A Reply

Your email address will not be published.