ପଂଚୁକ ବାବା ଧବଳେଶ୍ଵରଙ୍କ ପୀଠରେ ଭକ୍ତଙ୍କ ଭିଡ଼

0

ଆଠଗଡ଼ : ପବିତ୍ର ପଞ୍ଚୁକ ପାଇଁ ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠ। ବାବାଙ୍କ ଦର୍ଶନ ପାଇଁ ପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ରାତ୍ର ୪ ଟାରୁ ପହଡ ଖୋଲିବା ପରେ ୧୦୮ କଳସ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା । ପୂଜାର୍ଚ୍ଚନା ସହ ମଙ୍ଗଳ ଆଳତୀ କରାଯାଇଥିଲା । ବାବାଙ୍କ ଖେଚୁଡ଼ି ଭୋଗ ଲାଗି ହେବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟା ଯାଇଥିଲା। ଶ୍ରଦ୍ଧାଳୁମାନେ କଂକ୍ରିଟ ସେତୁ ଉପରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି। ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ଦର୍ଶନ କରିବେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେପଟେ ଏନେଇ ଗତକାଲି ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ଆହ୍ବାନ ଦେଇଛନ୍ତି। କଂକ୍ରିଟ ସେତୁ, ପ୍ରବେଶ ଓ ପ୍ରସ୍ଥାନ ପଥ, ଭୋଗ ମଣ୍ଡପ ସହିତ ପୀଠର ସବୁ ସ୍ଥାନରେ ୨୪ ଘଣ୍ଟିଆ ପୋଲିସ ମୁତୟନ ରହିବେ। ଭିଡ଼ ନିୟନ୍ତ୍ରଣ ନିମନ୍ତେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୨ଜଣ ଡିଏସ୍‌ପି ଓ ୨ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ସେହିପରି ଭିଡ଼କୁ ଦୃଷ୍ଟିରେ ରଖି ଭାରୀଯାନ ଚଳାଚଳ ଉପରେ ଆସନ୍ତାକାଲିଠାରୁ କଟକଣା କରାଯାଇଛି।

Leave A Reply

Your email address will not be published.