ଆସୁଛି ଆଉ ଏକ ବାତ୍ୟା ?
ଭୁବନେଶ୍ବର : ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ୨୭ ତାରିଖ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ଅବପାତ ପରବର୍ତ୍ତୀ ସମୟରେ ଗଭୀର ଅବପାତ ଏବଂ ବାତ୍ୟା ରୂପ ନେବ କି ନାହିଁ
ସେ ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ କେତେକ ଘରୋଇ ମଡେଲ ଆକଳନ କରିଛନ୍ତି ଯେ, ସମ୍ଭାବ୍ୟ ଅବପାତଟି ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏପରିକି ଜିଏଫଏସ୍, ସିଏମ୍ସି, ଏନ୍ଏଭିଜିଏମ୍ ଏବଂ ଇସିଏମ୍ଡବ୍ଲ୍ୟୁଏଫ ପରି କେତେକ ମଡେଲ ଆକଳନ କରି କହିଛନ୍ତି ଯେ, ସମ୍ଭାବ୍ୟ ଅବପାତ ପରବର୍ତ୍ତୀ ସମୟରେ ବାତ୍ୟା ରୂପ ନେଇପାରେ। ଯଦି ବାତ୍ୟା ହୁଏ ତେବେ ପୂର୍ବ ଭାରତ କିମ୍ବା ବାଂଲାଦେଶ ଉପରେ ପ୍ରଭାବ ପକାଇପାରେ। କେଉଁଠାରେ ସ୍ଥଳଭାଗ ଛୁଇଁବ ଏବଂ କେତେ ପ୍ରଭାବ ରହିବ ସେ ସମ୍ବନ୍ଧରେ କିଛି ସ୍ପଷ୍ଟ କରାଯାଇ ନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ବୋଲି ମଡେଲ ଗୁଡିକ ସ୍ପଷ୍ଟ କରିଛନ୍ତି। ସମ୍ଭାବ୍ୟ ଲଘୁଚାପ ପ୍ରଭାବ ରାଜ୍ୟ ଉପରେ ପଡିବ କି ନାହିଁ ଏଯାବତ୍ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ ଓ ଗଞ୍ଜାମର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ସର୍ବାଧିକ ବର୍ଷା ବଲାଙ୍ଗୀରରେ ୧୦.୨ ମି.ମି ରେକର୍ଡ ହୋଇଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ କୋରାପୁଟରେ ୧୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ ଏବଂ ରାଉରକେଲାରେ ୧୫.୫ ଡିଗ୍ରୀ, ଭୁବନେଶ୍ବର ୨୦.୧ ଏବଂ କଟକରେ ୨୦ ଡିଗ୍ରୀ ରହିଛି। ଅନ୍ୟାନ୍ୟ ଅଞ୍ଚଳରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାକୁ ଥିବାବେଳେ ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।