ବିନା ବଡ଼ ଷ୍ଟାରକାଷ୍ଟରେ ବଡ଼ ସଫଳତା, ଇତିହାସ ରଚିଲା ମନ୍ତ୍ରମୁଗ୍ଧ
ବିନା ପର୍ବରେ, ବିନା ସୁପରଷ୍ଟାରରେ ଗୋଟିଏ ସପ୍ତାହରେ କୋଟିଏରୁ ଅଧିକ କଲେକ୍ସନ କରି ଇତିହାସ ରଚିଲା ମନ୍ତ୍ରମୁଗ୍ଧ।ପାନ୍ ଇଣ୍ଡିଆରେ ୭୦ ରୁ ଅଧିକ ଥିଏଟର ଏବଂ ଓଡିଶାରେ ୫୨ଟି ଥିଏଟରରେ ଫିଲ୍ମ ପ୍ରଦର୍ଶିତ ହେଉଛି ଚଳଚ୍ଚିତ୍ର “ମନ୍ତ୍ରମୁଗ୍ଧ”। ମେ’ ୧ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମା ଗୋଟିଏ ସପ୍ତାହ ମଧ୍ୟରେ ୧ କୋଟିରୁ ଅଧିକ କଲେକ୍ସନ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଇତିହାସ ସୃଷ୍ଟି କରିଛି। ସାଧାରଣତଃ ରଜ କିମ୍ବା ଦଶହରା ପର୍ବରେ ବଡ଼ ଓଡ଼ିଆ ସିନେମା ଦେଖିବାକୁ ଅପେକ୍ଷା କରୁଥିବା ଦର୍ଶକ ଏଥର *“ମନ୍ତ୍ରମୁଗ୍ଧ”*କୁ ଭରପୂର ସମର୍ଥନ ଦେଇଛନ୍ତି। ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଭିନ୍ନ ଧାରାର କାହାଣୀ, ଭୟ, ହାସ୍ୟ ଓ ସଙ୍ଗୀତର ଅନନ୍ୟ ମିଶ୍ରଣ ଦର୍ଶକଙ୍କୁ ଆକର୍ଷିତ କରିଛି।

ସନୋଜ, ମନ୍ମୟ, ସାର୍ଥକ, ଭୂମିକା, ସୂର୍ଯ୍ୟମୟୀ ଓ ଦୀପନ୍ୱିତଙ୍କ ଭଳି ଯୁବ କଳାକାରଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଏହା ସହ ଗୋଟିଏ ସିନେମାର ୫ଟି ଗୀତ ପାଇଁ ୫ଜଣ ସଙ୍ଗୀତ ନିର୍ଦ୍ଦେଶକଙ୍କ ଯୋଗଦାନ ମଧ୍ୟ ସିନେ ପ୍ରେମୀଙ୍କୁ ନୂଆ ଅନୁଭୂତି ଦେଇଛି।ଦୀପକ କୁମାରଙ୍କ ଉଚ୍ଚମାନର ଚିତ୍ରତ୍ତୋଳନ, ଆଧୁନିକ ଭିଏଫଏକ୍ସ ଏବଂ ଏଡିଟିଂ ସିନେମାକୁ ଜାତୀୟ ସ୍ତରର ଅନୁଭୂତି ଦେଇଛି। ବିଶେଷ କରି “ଭୂତ ଗାଉଛି ଗୀତ” ଦୃଶ୍ୟ ଓ ଦୁଇ ନାୟକ-ଦୁଇ ନାୟିକାଙ୍କ ନୃତ୍ୟାଭିନୟ ଥିବା ଗୀତ ଯୁବପିଢ଼ିଙ୍କ ମଧ୍ୟରେ ଭାରି ଲୋକପ୍ରିୟ ହୋଇଛି।ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକ। ଗୋପାଳ ଚନ୍ଦ୍ର ଘଡ଼ାଇ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଦାୟିତ୍ୱ ନେଇଥିବାବେଳେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ଦାୟିତ୍ୱ ତୁଲାଉଛନ୍ତି l କଳାକାରଙ୍କଠାରୁ ଅଧିକ ଦର୍ଶକମାନେ ସିନେମାର ପ୍ରଚାର କରୁଛନ୍ତି, ଯାହା *“ମନ୍ତ୍ରମୁଗ୍ଧ”*ର ସବୁଠାରୁ ବଡ଼ ସଫଳତା ।