ସଦସ୍ୟ ପଦ ଫେରି ପାଇଲେ ଆପ ସାଂସଦ ରାଘବ ଚଡ୍ଡା
ହଟିଲା ନିଲମ୍ବନ। ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଫେରି ପାଇଲେ ନିଜ ସଦସ୍ୟତା। ରାଜ୍ୟସଭା ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି। ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍ ସାଂସଦଙ୍କ ଉପରେ ଲାଗିଥିବା ନିଲମ୍ବନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି। ରାଜ୍ୟସଭାରେ ଏନେଇ ଏକ ପ୍ରସ୍ତାବ ପାରିତ କରାଯାଇଛି।
ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏହାପରେ ରାଜ୍ୟସଭାରେ ଏହି ଆପ୍ ସାଂସଦଙ୍କ ନିଲମ୍ବକୁ ଫେରାଇ ନେବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏନେଇ ରାଜ୍ୟସଭାରେ ଏକ ବୈଠକ ମଧ୍ୟ ହୋଇଥିଲା। ବୈଠକ ପରେ ରାଜ୍ୟସଭା ଅଧ୍ୟକ୍ଷ ଚଡ୍ଡାଙ୍କୁ ସଦସ୍ୟତା ଫେରାଇବାକୁ ନିଷ୍ପତ୍ତି ନେଇଥିଲେ।
ସେପଟେ ଆପ୍ ସାଂସଦ ରାଘବ ଚଡ୍ଡା ତାଙ୍କ ନିଲମ୍ବନ ହଟିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘୧୧ ଅଗଷ୍ଟରେ ରାଜ୍ୟସଭାରୁ ମୋତେ ନିଲମ୍ବିତ କରି ଦିଆଯାଇଥିଲା। ନିଲମ୍ବନ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯାଇଥିଲି। ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ ଓ ୧୧୫ ଦିନ ପରେ ମୋର ନିଲମ୍ବନ ହଟିଲା ବୋଲି ରାଘବ କହିଛନ୍ତି।’