ଭୁବନେଶ୍ୱର (ଆମ ଟିଭି): ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କଲା ବିଜେଡି । ଏହି ବିଜୟ ପରେ ବିରୋଧୀଙ୍କୁ ସିଧା ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧା ସିଧା ରାଜ୍ୟ ବିଜେପିର ନେତୃମଣ୍ଡଳୀ ଉପରେ ବର୍ଷିବା ସହିତ ବିରୋଧୀ ଶିବିରକୁ ତୀର ମାରିଛନ୍ତି ନବୀନ । ଏଥିସହିତ ନବୀନ କାହିଁକି ପଦ୍ମପୁର ପ୍ରଚାରରେ ଗଲେ? କାହିଁକି ବର୍ଷାଙ୍କ ପାଇଁ କ୍ୟାମ୍ପେନକୁ ଓହ୍ଲାଇଲେ ସେନେଇ ମଧ୍ୟ ସେ ଉତ୍ତର ରଖିଛନ୍ତି ।
ନବୀନ କହିଛନ୍ତି, “ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳା, ବାପାକୁ ହରାଇଥିବା ଗୋଟିଏ ଝିଅକୁ ରାଜ୍ୟ ବିଜେପିର ନେତାମାନେ ଅସମ୍ମାନ କଲେ । ଏହା ମୋତେ ବହୁତ ଦୁଃଖ ଦେଲା । ଏହା କେବଳ ମୋ ପାଇଁ ଦୁଃଖ ନୁହେଁ, ଓଡିଶାର ସବୁ ମହିଳାମାନଙ୍କ ପାଇଁ ଏହା ଦୁଃଖର କଥା । ରାଜନୀତିରେ ନିର୍ବାଚନ ଲଢିବା ଏବଂ ଜିତିବା ଅଲଗା କଥା । ହେଲେ ଜଣେ ମହିଳାଙ୍କୁ ଏଭଳି ଭାବେ ଅସମ୍ମାନ କରିବା ନିନ୍ଦନୀୟ । ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷାଙ୍କ ପାଖରେ ଠିଆ ହେବି ।”
ଖାଲି ସେତିକି ନୁହେଁ, ବିଜେଡି ସୁପ୍ରିମୋ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବାପା ଭଳି, ଜଣେ ଭାଇ ଭଳି ସେ ବର୍ଷାଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣରୁ ସେ ପଦ୍ମପୁର ଯାଇ ବର୍ଷାଙ୍କ ପାଇଁ ପ୍ରଚାର କରିଥିଲେ । ଅନ୍ୟପଟେ ବିରୋଧୀ ନେତାଙ୍କୁ ଟାର୍ଗେଟ କରି ନବୀନ କହିଛନ୍ତି, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ତେବେ ଏହାକୁ ଓଡିଶାବାସୀ ସମର୍ଥନ କରିବେ ନାହିଁ । ତା ସହିତ କେନ୍ଦ୍ରମନ୍ତ୍ରୀମାନେ ଓଡିଶାବାସୀ ଏବଂ ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ଯାହାକି ଠିକ୍ ନୁହେଁ ।