ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍‌ର ୩ ଘଣ୍ଟା ଜେରା

0

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି।
ତେଲୁଗୁ ଅଭିନେତା ଅଲ୍ଲୁ ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ଏବଂ ଓକିଲମାନଙ୍କ ସହ ପୂର୍ବାହ୍ନ ୧୧ଟା ପରେ ଚିକ୍କାଡପାଲ୍ଲୀ ଥାନାରେ ପହଞ୍ଚତ୍ବା ପରେ ଅପରାହ୍ନ ୨ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଜେରାର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରୀୟ ଜୋନ୍‌ ଡିସିପି ଅକ୍ଷାଂଶ ଯାଦବଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ଅଭିନେତା ପୋଲିସକୁ ପୂର୍ଣ୍ଣ ସହଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ଡକାଯିବ ବୋଲି ପୋଲିସ କହିଛି।
ପୁଷ୍ପା-୨ ପ୍ରିମିୟର ବେଳେ ଥିଏଟର ବାହାରେ ଉପସ୍ଥିତ ରହିବାକୁ ପ୍ରଶାସନ ଅନୁମତି ଦେଇ ନ ଥିଲା। ଏ ସମ୍ପର୍କରେ ଅଲ୍ଲୁ ଜାଣିଥିଲେ କି ଏବଂ ଅନୁମତି ନ ଥିବା ସତ୍ତ୍ୱେ ତାଙ୍କୁ ସେଠାକୁ ଯିବା ପାଇଁ କିଏ ପ୍ରବର୍ତ୍ତାଇଲେ ବୋଲି ପୋଲିସ ପ୍ରଶ୍ନ କରିଥିଲା। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ସେ କେତେବେଳେ ଖବର ପାଇଲେ? ଶୋ’ ବେଳେ ନ ଆସିବାକୁ ସନ୍ଧ୍ୟା ଥିଏଟର ପରିଚାଳନାକାରୀ ସଂସ୍ଥା କହିଥିଲା କି ବୋଲି ପ୍ରଶ୍ନ କରାଯାଇଥିଲା। ଶୋ’ ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ କେତେଜଣ ବାଉନ୍‌ସରଙ୍କୁ ନିୟୋଜିତ କରାଯାଇଥିଲା ବୋଲି ପୋଲିସ ପ୍ରଶ୍ନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.