ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବ ଆମରିକା
(ଆମ ଟିଭି ବ୍ୟୁରୋ): ୩ ମାସରୁ ଅଧିକ ସମୟ ହେଲା ଜାରି ରହିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଆମେରିକା ସରକାର ରୁଷ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନକୁ ଲଢୁଆ ବିମାନ ଯୋଗାଇବା ସମ୍ପର୍କରେ ବିଚାର କରୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଛଅମାସରେ ପ୍ରବେଶ କରିବାକୁ ଯାଉଥିବାବେଳେ ଆମେରିକା ପ୍ରଶାସନ ୟୁକ୍ରେନକୁ ଏଭଳି ସହାୟତା ଯୋଗାଇଦେବା ସମ୍ପର୍କରେ ବିଚାର କରୁଛି। ତେବେ ଏହା ପ୍ରାଥମିକ ପର୍ୟ୍ୟାୟରେ ରହିଛି। ବିଧିବଦ୍ଧ ଭାବରେ ଏହା ଉପରେ ନିଷ୍ପତ୍ତି ନିଆଯାଇନାହିଁ ବୋଲି ହ୍ୱାଇଟ ହାଉସ ମୁଖପାତ୍ର ଜନ୍ କିର୍ବି ସାମ୍ବାଦିକମାନଙ୍କୁ କହିଛନ୍ତି।
ଅନ୍ୟଏକ ସୂତ୍ରରୁ ଜଣାଯାଇଛି ଯେ ୟୁକ୍ରେନ ସରକାର ଏଫ-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇଦେବାକୁ ଆମେରିକାକୁ ଅନୁରୋଧ କରିଥିବାବେଳେ ଆମେରିକା ସରକାର ୫୦ ବର୍ଷର ପୁରୁଣା ଯୁଦ୍ଧ ବିମାନ ୟୁକ୍ରେନକୁ ଯୋଗାଇବାକୁ ବିଚାର କରୁଛନ୍ତି। ଉକ୍ତ ବିମାନ ଚାଳନା ସମ୍ପର୍କରେ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେବାକୁ ଆମେରିକା ନିଜର ସାମରିକ ପାଇଲଟଙ୍କୁ ମଧ୍ୟ ପଠାଇବ। ତାହା ପୂର୍ବରୁ ୟୁକ୍ରେନକୁ ଡ୍ରୋନ ସମେତ ଅନ୍ୟାନ୍ୟ ସାମରିକ ସହାୟତା ଯୋଗାଇଦେବାକୁ ଆମେରିକାର ବାଇଡେନ ପ୍ରଶାସନ ଘୋଷଣା କରିଛନ୍ତି। ଶନିବାର ରୁଷ ପକ୍ଷରୁ କୃଷ୍ଣସାଗର ତଟରେ ଥିବା ୟୁକ୍ରେନର ବନ୍ଦର ସହର ଓଡ଼େସା ଉପରେ କାଲିବର କ୍ରୁଜ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।
ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳକୁ ୟୁକ୍ରେନ ନିଜ ଅଧିନକୁ ଫେରାଇ ନଆଣିବା ପର୍ୟ୍ୟନ୍ତ ଯୁଦ୍ଧବିରତି ସମ୍ଭବ ନୁହେଁ। ଶୁକ୍ରବାର ରୁଷ ଓ ୟୁକ୍ରେନ ମଧ୍ୟରେ ଗହମ ରପ୍ତାନି ପାଇଁ ସ୍ୱାକ୍ଷରିତ ରାଜିନାମାକୁ ସେ ପ୍ରଶଂସା କରିଛନ୍ତି। ଏହାଦ୍ୱାରା ବିଶ୍ୱରେ ଖାଦ୍ୟ ନିରାପତ୍ତା ପ୍ରତି ଦେଖାଦେଇଥିବା ଅଚଳାବସ୍ଥାରେ ପରିସମାପ୍ତି ଘଟିବ ବୋଲି ସେ କହିଛନ୍ତି।