ଭୁବନେଶ୍ବର (ଆମ ଟିଭି): ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ତାଙ୍କ ନୂଆ ଫିଲ୍ମ ‘ଛକି ଶୂନ’ ସହ ପୁନର୍ବାର ପରଦାକୁ ଫେରୁଛନ୍ତି । ଗତବର୍ଷ ଗଣେଶ ପୂଜା ଅବସରରେ ଘୋଷିତ ଏହି ଫିଲ୍ମକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସୁକତା ଦେଖାଯାଇଥିଲା । ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି, କାରଣ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଛି । ଆସନ୍ତା ରଜ ପର୍ବ (୧୨ ଜୁନ) ଅବସରରେ ଏହି ଫିଲ୍ମ ମୁକ୍ତିଲାଭ କରିବ।
ନିର୍ମାତା ପକ୍ଷରୁ ଇନଷ୍ଟାଗ୍ରାମରେ ନୂତନ ପୋଷ୍ଟର ଜାରି କରାଯାଇ ରିଲିଜ୍ ତାରିଖ ସୂଚନା ଦିଆଯାଇଛି । ପୋଷ୍ଟରରେ ଅନୁଭବଙ୍କୁ ଗମ୍ଭୀର ଓ ଷ୍ଟାଇଲିଶ୍ ଲୁକରେ ଦେଖିବାକୁ ମିଳୁଛି । ନିର୍ମାତାଙ୍କ କ୍ୟାପ୍ସନ୍— “ଯେତେବେଳେ ସେ ଆସିବେ… ସ୍କ୍ରିନ୍ କଥା କହିବ । ଛକି ଶୂନ ଏହି ରଜରେ ତୁମ ସହିତ ଉତ୍ସବ ପାଳନ କରିବ।”— ଫ୍ୟାନ୍ସମାନଙ୍କ ଉତ୍ସାହକୁ ଆଉ ବଢ଼ାଇଦେଇଛି।
ଛକି ଶୂନ’ ଫିଲ୍ମ ବିଷୟରେ କହିବାକୁ ଗଲେ, ‘ଛକି ଶୂନ’ ଫିଲ୍ମ ଆମର ଷ୍ଟୁଡିଓ ଓ ଏସଏମ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ୍ସ 29 ଟୁ ନାଇନ ଫିଲ୍ମସର ମିଳିତ ସହଯୋଗରେ ନିର୍ମିତ ହେଉଛି । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ମାନସ ପଢିହାରୀ । ସେ ହିଁ ଏହି ଫିଲ୍ମକୁ ଲେଖିଛନ୍ତି । ଏଥିସହ ଫିଲ୍ମକୁ ତାଙ୍କ ସ୍ତ୍ରୀ ଜାଗୃତି ଅନୁଭବ ମହାନ୍ତି, ନବୀନ ଭଣ୍ଡାରୀ ଓ ଶୁଭମ୍ ମହାନ୍ତି ଏହାର ପ୍ରଯୋଜକ ଅଟନ୍ତି । ଏଥିରେ ମୁଖ୍ୟ ଅଭିନେତା ଭାବେ ନଜର ଆସିବେ ଅନୁଭବ । ଅନୁଭବ ସମେତ ଏଥିରେ ଅନ୍ୟାନ୍ୟ ଭୂମିକାରେ ସମଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଗରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ, ସୁଜିତ ନଜର ଆସିବା ସହ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି।
ରଜ ପର୍ବରେ ମୁକ୍ତିଲାଭ କରୁଥିବା ଏହି ଫିଲ୍ମ ଦର୍ଶକମାନଙ୍କୁ ଏକ ନୂତନ ଅନୁଭୂତି ଦେବ ବୋଲି ନିର୍ମାତା ଦଳ ଆଶା ବ୍ୟକ୍ତ କରିଛନ୍ତି ।