ଭୁବନେଶ୍ୱର (ଆମ ଟିଭି): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ଼। ତାଙ୍କ ଆର୍ଥିକ କାରବାର ସମ୍ପର୍କରେ ତଦନ୍ତ କରିବାକୁ ସଜବାଜ ହେଉଥିବା ଇଡି ସେ ଦିଗରେ ଆଉ ଗୋଟିଏ ପାଦ ଆଗେଇଛି। ଅର୍ଚ୍ଚନାଙ୍କ ନାଁରେ ରୁଜୁ ହୋଇଥିବା ଦୁଇଟି ଏଫଆଇଆର କପି ଆଜି ଇଡି ପାଖରେ ପହଞ୍ଚିଛି। କମିଶନରେଟ ପୁଲିସ ପକ୍ଷରୁ ଏହି ଦୁଇ ଏଫଆଇଆର ଇଡି ନିକଟରେ ଦାଖଲ କରାଯାଇଛି।
ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ ଏଫ୍ଆଇଆଇର କପି ଇଡିକୁ ହସ୍ତାନ୍ତର ହୋଇଛି। ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଏଫଆଇଆର କରିଥିଲେ। କିଛି ଆପତ୍ତିଜନକ ଫଟୋ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଶ୍ରୀ ପରିଜାଙ୍କୁ ୩ କୋଟି ଟଙ୍କାର ବଟି ମାଗୁଥିଲେ। ଏଥିସହ ଟଙ୍କା ନ ଦେଲେ ସେମାନେ ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେଇଥିବା ଶ୍ରୀ ପରିଜା ଏଫଆଇଆରରେ ଦର୍ଶାଇଥିଲେ।
ସେହିପରି ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅନ୍ୟ ଜଣେ ଯୁବତୀ ଦାଖଲ କରିଥିବା ଏଫ୍ଆଇଆର କପି ମଧ୍ୟ ପୁଲିସ ଇଡି ନିକଟରେ ଦାଖଲ କରିଛି। ଅର୍ଚ୍ଚନା ପୀଡ଼ିତା ଯୁବତୀଙ୍କ କିଛି ଅଶ୍ଳୀଳ ଫଟୋ ଉଠାଇ ତାଙ୍କୁ ନିଜ ଇସାରରେ ଅନ୍ୟମାନଙ୍କୁ ଫସାଇବାକୁ କହୁଥିବା ଏଫଆଇଆରରେ ଅଭିଯୋଗ ହୋଇଥିଲା। ଇଡିକୁ ଏଫ୍ଆଇଆର କପି ମିଳିବା ପରେ ତଦନ୍ତକାରୀ ସଂସ୍ଥାର ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି। ଖୁବଶୀଘ୍ର ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ ଇଡି କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କାରଣ ଇଡି ହିଁ ପୁଲିସ୍କୁ ଏଫଆଇଆର କପି ମାଗିଥିଲା।