ଭୁବନେଶ୍ୱର (ଆମ ଟିଭି): ସରିଲା ବିଧାନସଭା ବଜେଟ୍ ଅଧିବେଶନ । ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନ ସୋମବାର ଶେଷ ହୋଇଛି । ଚଳିତମାସ ୪ ତାରିଖରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହାର ୩ ଦିନ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ପ୍ରଥମ ଦିନରେ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥାପନ କରିଥିଲେ । ଅଧିବେଶନର ୨୦ଟି କାର୍ୟ୍ୟଦିବସ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ୮ଟି ବିଲ୍ ଉପସ୍ଥାପନ କରାଯାଇଥିବାବେଳେ ୭ଟି ବିଲ୍ ପାରିତ ହୋଇଥିଲା । ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିବାବେଳେ ୨୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଦ୍ୱାରା ପାରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କପାଇଁ ଗୃହରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା ।
ସେହିପରି ଶନିବାର ଗୃହରେ ବ୍ୟୟମଞ୍ଜୁରି ବିଲ୍ ମଧ୍ୟ ପାରିତ ହୋଇଥିଲା ।ଅଧିବେଶନର ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ତେବେ ଗତ ଶନିବାର ବିଧାନସଭାରେ ସବୁଦଳର ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିବାବେଳେ ଏହାର ଅନୁଧ୍ୟାନ କରିରିପୋର୍ଟ ଦେବା ପାଇଁ ବାଚସ୍ପତି ବିଜେଡ଼ିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏଥର ଗୃହରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ ।