ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନରେ କଂଗ୍ରେସ କୁ ହରାଇ ବାଜି ମାରିଛି ବିଜେପି । ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ବଢିଲାଣି ଦ୍ବନ୍ଦ୍ବ । ଦାବିଦାରଙ୍କ ସଂଖ୍ୟା ବଢୁଥିବାବେଳେ କାହାକୁ କରାଯିବ ସିଏମ ସେନେଇ ହାଇକମାଣ୍ଡଙ୍କ ବଢୁଛି ମୁଣ୍ଡବ୍ୟଥା । ସବୁଠାରୁ ବଡ଼ ଦାବିଦାର ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ । ୨୦୦୩ ଓ ୨୦୧୩ରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା । ବିଜେପି ନେତ୍ରୀ ବିଜୟାରାଜେ ସିନ୍ଦିଆଙ୍କ କନ୍ୟା ତଥା ସ୍ବର୍ଗତ ମାଧବରାଓ ସିନ୍ଦିଆଙ୍କ ଭଉଣୀ ବସୁନ୍ଧରା ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପିର ନେତୃତ୍ବ ନେଇ ଚର୍ଚ୍ଚାରେ ଅଛନ୍ତି ।
ସେ ବି ଥିଲେ ରାଜ୍ୟର ପ୍ରଥମ ମହିଳା ମୁ୍ଖ୍ୟମନ୍ତ୍ରୀ । ଅନ୍ୟତମ ଦାବିଦାର ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ସଞ୍ଜୀବନୀ କ୍ରେଡିଟ କୋପରେଟିଭ ସୋସାଇଟି ସ୍କାମ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ସେ ଥିଲେ ଚର୍ଚ୍ଚାରେ । ୨୦୧୯ରେ ଗେହଲଟଙ୍କ ପୁଅ ବୈଭବଙ୍କୁ ପରାସ୍ତ କରି ସେ ସାଜିଥିଲେ ଜାଏଣ୍ଟ କିଲର । ସିଏମ ଦୌଡରେ ବି ରହିଛନ୍ତି ଦିୟା କୁମାରୀ । ଜୟପୁର ରାଜପରିବାରର ସଦସ୍ୟା ୨୦୧୯ରେ ସର୍ବାଧିକ ୫ ଲକ୍ଷ ୫୧ ହଜାର ଭୋଟରୁ ଅଧିକ ଭୋଟରେ ଜିତି ଚର୍ଚ୍ଚାକୁ ଆସିଥିଲେ ।
ଆଉ ଜଣେ ଚର୍ଚ୍ଚିତ ନେତା ହେଲେ ବାବା ବାଲକନାଥ । ରାଜସ୍ଥାନର ଯୋଗୀ ଭାବେ ଖ୍ୟାତ ବାଲକନାଥ ଧାର୍ମିକ ଗୁରୁ କଟ୍ଟର ହିନ୍ଦୁବାଦୀ ନେତା ଭାବେ ପରିଚିତ । ଏହା ସହ ସେ ବାବା ମସ୍ତନାଥ ବିଶ୍ବବିଦ୍ୟାଳୟର କୁଳପତି ବି ଅଛନ୍ତି ।