ବିଧାୟକ ଦିବ୍ୟଶଙ୍କରଙ୍କ ଗାଡ଼ିକୁ ଅଣ୍ଡା ମାଡ଼

0

କଳା ପତାକା ଦେଖାଇଲେ। ଅଣ୍ଡା ମାଡ଼ କଲେ ଓ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୋ ବ୍ୟାକ୍‌ ନାରା ଦେଲେ। ମହାବିଦ୍ୟାଳୟ କୋଠା ଉଦ୍‌ଘାଟନ ପାଇଁ ଯାଉଥିବା ବେଳେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଏମିତି ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ତେବେ କିଏ ଓ କାହିଁକି କଳା ପତାକା ଦେଖାଇଲା ଏବଂ ଅଣ୍ଡା ମାଡ଼ କଲା, ତାହା ଜଣାପଡ଼ି ନାହିଁ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସର୍ବମଙ୍ଗଳା ମହାବିଦ୍ୟାଳୟର ଆଜି ନୂତନ ଗୃହ ଲୋକାର୍ପିତ ହୋଇଥିଲା। ଏଥିରେ ଅତିଥି ହୋଇଥିଲେ କଳାହାଣ୍ଡି ସାଂସଦ ମାଳବିକା ଦେଓ ଓ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର। ନିର୍ଦ୍ଧାରିତ ସମୟରେ ସାଂସଦ ମହାବିଦ୍ୟାଳୟରେ ପହଞ୍ଚିଥିଲେ। ହେଲେ ସାଂସଦ ପହଞ୍ଚିବାର ପ୍ରାୟ ଅଧ ଘଣ୍ଟାଏ ପରେ ବିଧାୟକ ମିଶ୍ରଙ୍କ ଗାଡ଼ି ମହାବିଦ୍ୟାଳୟ ଗେଟ୍‌ରେ ପ୍ରବେଶ କରିଥିଲା। ଠିକ୍‌ ସେତିକି ବେଳେ କିଛି ଯୁବକ ବିଧାୟକ ଶ୍ରୀ ମିଶ୍ରଙ୍କୁ କଳା ପତାକା ଦେଖାଇଥିଲେ। ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ତା’ପରେ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଲକ୍ଷ୍ୟକରି ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ଗାଡ଼ିକ ବିଧାୟକଙ୍କ କାର୍‌ରେ ବାଜିଥିବା ଦେଖିବାକୁ ମିଳିଥିଲା।

ଅଣ୍ଡା ମାଡ଼ ପରେ ଯୁବକମାନେ ସେଠାରୁ ପଳାଇଯାଇଥିଲେ। ତେବେ କିଏ କଳା ପତାକା ଦେଖାଇଥିଲେ ଓ ଅଣ୍ଡା ମାଡ଼ କରିଥିଲେ ତାହା ଜଣାପଡ଼ି ନାହିଁ। ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ସେପଟେ ନିର୍ଦ୍ଧାରିତ ସମୟରେ ମହାବିଦ୍ୟାଳୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଉ ସଭାରେ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ନିଜ ସମର୍ଥକଙ୍କ ଗହଣରେ ଫେରି ଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.