ଭୁବନେଶ୍ୱର (ଆମ ଟିଭି): ବସ୍ ଧର୍ମଘଟକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚୁଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ହୋଇପାରେ ବୈଠକ । ବସ୍ ମାଲିକ ସଂଘର ଦାବି ଉପରେ ଆଜି ଆଲୋଚନା ହେବାର ଅଛି । ଦଶହରା ପରେ ୨୬ ତାରିଖରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ । ଯେଉଁଥି ପାଇଁ ଆସନ୍ତା ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ । ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଥିଲା ଘରୋଇ ବସ୍ ମାଲିକ ସଂଘ ।
ଗତ ୨୦ ତାରିଖ ବସ ବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଥିଲା । କିନ୍ତୁ ମନ୍ତ୍ରୀଙ୍କ ସହ ବୈଠକ ପରେ ପୂଜାକୁ ଦୃଷ୍ଟିରେ ରଖି ୨୦ ତାରିଖ ରାତିରୁ ବସ ଚଳାଚଳ ଆରମ୍ଭ ହୋଇଥିଲା । ୩୧ ତାରିଖ ଯାଏଁ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ପ୍ରେସମିଟ କରି ସୂଚନା ଦେଇଥିଲେ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଧର୍ମଘଟରୁ ଓହରିବାକୁ ସଂଘ ନିଷ୍ପତି ନେଇଥିଲା ବୋଲି ସେ କହିଛନ୍ତି । ଆଜିର ବୈଠକ ଉପରେ ରହିଛି ସମସ୍ତଙ୍କର ନଜର ।