ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶରେ କଂଗ୍ରେସ ତଳିତଳାନ୍ତ ହେବାକୁ ଯାଉଥିବା ବେଳେ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । ଏହି ଭାରତ ଯୋଡୋ ଯାତ୍ରା ଆଜି ୧୪ତମ ଦିନରେ ପହଞ୍ଚିଛି। ଏହି ଯାତ୍ରାରେ ଦଳର ବରିଷ୍ଠ ନେତାମାନେ ତୃଣମୂଳସ୍ତରର କର୍ମୀଙ୍କ ସହ କାନ୍ଧରେ କାନ୍ଧ ମିଶାଇ ରାହୁଲଙ୍କ ସହ ଚାଲୁଛନ୍ତି। ଏହି କ୍ରମରେ ରାଲି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ପହଞ୍ଚିଛି। ହେଲେ ଏହି ସମୟରେ ପାର୍ଟିକୁ ଅପ୍ରୀତିକର ପରସ୍ଥିତିର ସାମ୍ନା କରିବାକୁ ପଡିଛି।
ଯାତ୍ରା ସମୟରେ ଲାଗିଥିବା ପୋଷ୍ଟରକୁ ନେଇ କଂଗ୍ରେସକୁ ହନ୍ତସନ୍ତ ହେବାକୁ ପଡିଛି। ଉକ୍ତ ପୋଷ୍ଟରେ ସ୍ଵାଧୀନତା ସଂଗ୍ରାମୀଙ୍କ ସହ ବୀର ସଭରକରଙ୍କ ଫଟୋ ମଧ୍ୟ ରହିଛି, ଯାହାଙ୍କୁ କଂଗ୍ରେସ କେବେ ବି ସ୍ଵାଧୀନତା ସଂଗ୍ରାମୀ ମାନି ନାହିଁ। କଂଗ୍ରେସର ପୋଷ୍ଟରେ ବୀର ସଭରକରଙ୍କ ଫଟୋ ରହିବା ପ୍ରଥମେ ଲୋକଙ୍କୁ ଆଶ୍ଚର୍ୟ୍ୟଚକିତ କରିଥିଲା। ଏହା ଉପରେ କଂଗ୍ରେସକୁ ସଫେଇ ଦେବାକୁ ପଡିଛି। କେରଳର ଜଣେ ନିର୍ଦ୍ଦଳୀୟ ତଥା ଏଲଡିଏଫ ସମର୍ଥିତ ବିଧାୟକ ପିଭି ଅନଓ୍ଵର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଏହି ପୋଷ୍ଟରଟି କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ଚେଙ୍ଗାମାନଦରେ ଦେଖିବାକୁ ମିଳିଛି।