ଭୁବନେଶ୍ବର (ଆମ ଟିଭି): ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ କନ୍ଦଳ ନେଇ ବିଜେଡି ବିଧାୟକ ସୌଭିକ ବିଶ୍ବାଳ ଖୋଲାଖୋଲି କହିଥିବା ବେଳେ ନିର୍ବାଚନ ପରିଚାଳନାକୁ ନେଇ ଆଙ୍ଗୁଳି ଉଠାଇଥିଲେ ପ୍ରଦୀପ ମାଝୀ, ବଦ୍ରିନାରାୟଣ ପାତ୍ର, ଅବିନାଶ ସାମଲଙ୍କ ପରି ଅନେକ ନେତା । ଦଳ ଗଠନ ପରଠୁ ସବୁଠୁ ଜଟିଳ ସ୍ଥିତିରେ ବିଜେଡି । ତେବେ ପ୍ରଶ୍ନ ଉଠୁଛି, ଗୋଷ୍ଠୀ କନ୍ଦଳ ତୁଟାଇବାକୁ ନବୀନ ହେବେ କି କ୍ରାଇସିସ୍ ମ୍ୟାନେଜର?
ବଢିଲାଣି ବିଜେଡି ଅସନ୍ତୋଷ
ନିର୍ବାଚନ ହାରିବା ପରଠୁ ବିଜେଡିରେ ଅସନ୍ତୋଷ ବଢିବାରେ ଲାଗିଛି । ବରିଷ୍ଠ ନେତା ଅମର ଶତପଥୀ ଏବେ ପରାଜୟର ଜବାବ ମାଗିଛନ୍ତି । ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲେ, ଓଡିଶା ଲୋକ ନବୀନବାବୁଙ୍କୁ ଭୋଟ୍ ଦେଇଥିଲେ। ବିଜୟର ଶ୍ରେୟ ଯେମିତି ନେଇଥିଲେ ପରାଜୟର ବି ନବୀନ ଦାୟିତ୍ବ ନିଅନ୍ତୁ। ସମୀକ୍ଷା କରି ଦଳକୁ ଠିକ ବାଟରେ ଚଲାଇଲେ ହିଁ ଦଳ ଠିକ୍ ବାଟରେ ଚାଲିପାରିବ । ଭିକେ ପାଣ୍ଡିଆନଙ୍କୁ ନେତା କରିନଥିଲୁ, ନବୀନଙ୍କୁ ବାଛିଥିଲୁ। ତେଣୁ ଉତ୍ତର ନବୀନ ପଟ୍ଟନାୟକ ଦେବା କଥା ବୋଲି ଅମର ଶତପଥୀ କହିଛନ୍ତି । ଅମର ଶତପଥୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ସରଗରମ ହୋଇଛି । ପୂର୍ବରୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ଚର୍ଚ୍ଚାରେ ଥିଲେ ଅମର ।