ବିଜେପି ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା କଂଗ୍ରେସ
ବେଙ୍ଗାଲୁରୁ: ସାମ୍ୱାଦିକଙ୍କୁ ମିଠେଇ ଡବା ଭର୍ତ୍ତି ପଇସା। ଦୀପାବଳିରେ ଏଭଳି ବକ୍ସିସ୍କୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ। ଏପରି ସାଂଘାତିକ ଅଭିଯୋଗ ଆଣିଛି କର୍ଣ୍ଣାଟକ କଂଗ୍ରେସ। ଦଳ କହିଛି, ଦୀପାବଳିରେ ସାମ୍ୱାଦିକଙ୍କୁ ଏକ ମିଠେଇ ଡବାରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି। କଂଗ୍ରେସ ଶନିବାର ଏହି ମାମଲାକୁ ‘ମିଠା ଡବା ଲାଞ୍ଚ’ ନାଁ ଦେଇଛି। ଏହା ସହ ଦଳ ଏହାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି। ଅନ୍ୟପଟେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି।
ନ୍ୟୁ ମିନିଟର ଏକ ରିପୋର୍ଟ ଅନୁସାରେ, ମିଠା ଡବା ପାଇଥିବା ପ୍ରାୟ ୧୨ ଜଣ ସାମ୍ୱାଦିକଙ୍କ ମଧ୍ୟରୁ ତିନି ଜଣ ପାଇସା ପାଇଥିବା ସ୍ୱୀକାର କରିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଇସା ଫେରାଇ ଦେଇଛନ୍ତି। ଏନେଇ ଏକ ଦୁର୍ଦୀତି ନିବାରଣ ସଙ୍ଗଠନ କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ନିକଟରେ ବସବରାଜ ବୋମ୍ମାଇଙ୍କ ମିଡିଆ ପରାମର୍ଶ ଦାତାଙ୍କ ବିରୁଦ୍ଧରେ ସାମ୍ୱାଦିକଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି।