ନୂଆଦିଲ୍ଲୀ (ଆମ ଟିଭି): ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ହିଁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଦଳକୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଦଳର ମୁଖ୍ୟ ଜେପି ନଡ୍ଡାଙ୍କୁ ସୂଚନା ଦେବା ସହ ଶନିବାର ମାଇକ୍ରୋ ବ୍ଲଗିଂ ସାଇଟ୍ ‘X’ରେ ନିଜ ନିଷ୍ପତ୍ତି ବିଷୟରେ ଏକ ପୋଷ୍ଟ କରି ଜଣାଇଛନ୍ତି।
ସେ ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋତେ ପ୍ରତ୍ୟକ୍ଷ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମୁଁ ଦଳର ସଭାପତି ଜେ.ପି. ନଡ୍ଡାଙ୍କୁ କହିଛି। ଭାରତ ଏବଂ ବିଶ୍ୱରେ ହେଉଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ମୁଁ ଆର୍ଥିକ ଏବଂ ଶାସନ ସମ୍ବନ୍ଧୀୟ ପ୍ରସଙ୍ଗରେ ଦଳ ସହିତ କାର୍ଯ୍ୟ ଜାରି ରଖିବି। ମୋତେ ଗତ ଦଶ ବର୍ଷ ଧରି ଭାରତ ଏବଂ ହଜାରିବାଗବାସୀଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ନେତୃତ୍ୱ ମୋତେ ଅନେକ ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।’