ମହଙ୍ଗା ହେଲା ଲାଞ୍ଚ କାରବାର: ଗିରଫ ହେଲେ ମହିମା ମିଶ୍ରଙ୍କ ପୁଅ

0

ଭୁବନେଶ୍ୱର (ଆମ ଟିଭି): ବିବାଦ ଘେରରେ ଛନ୍ଦି ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ପାରାଦ୍ୱୀପ ବନ୍ଦରରେ ହୋଇଥିବା ଲାଂଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଅଢୁଆ ବଢିବାରେ ଲାଗିଛି । ଲାଗାତାର ୩ ଦିନ ହେଲା ତନାଘନା କରୁଛି ସିବିଆଇ । ମହିମାଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଭୋର ୪ଟା ବେଳେ ଚର୍ଚ୍ଚିତ, ସିବିଆଇ ଅଫିସରେ ହାଜର ହୋଇଥିଲେ । ତାଙ୍କୁ ଗୁଡାଇ ତୁଡାଇ ପଚରାଉଚରା କରିବା ପରେ ଗିରଫ କରିଥିଲା ତଦନ୍ତକାରୀ ସଂସ୍ଥା । ଚର୍ଚ୍ଚିତଙ୍କ ବିରୋଧରେ ଆଇପିସିର ଦଫା ୧୨୦-ବି ଓ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭,୮, ୯, ୧୦,୧୨ରେ ମାମଲା ରୁଜ ହୋଇଛି ।

ଅନ୍ୟପଟେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ ପୁଅ ଚନ୍ଦନ ମିଶ୍ରଙ୍କୁ ଘନ ଘନ ଜେରା କରିଛି ସିବିଆଇ । ରାତିସାରା ପଚରାଉଚରା କରିବା ପରେ ସେମାନେ ଶନିବାର ସକାଳେ ସିବିଆଇ ଅଫିସରୁ ବାହାରିଥିଲେ । ଶୁକ୍ରବାରଦିନ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ୟ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରି ରିମାଣ୍ଡରେ ନେଇଛି । ତେବେ ଆଗାମୀ ଦିନରେ ସିବିଆଇର ତଦନ୍ତ କେଉଁ ଦିଗକୁ ଗତି କରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

Leave A Reply

Your email address will not be published.