ଏକା ଲଢିବ ବିଏସପି

0

ନୂଆଦିଲ୍ଲୀ,: କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ସେ କୌଣସି ବି ଦଳ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି।

ମାୟାବତୀ ଟୁଇଟ୍‌ କରି କହିଛନ୍ତି, ବିଏସ୍‌ପି ଦେଶରେ ଲୋକ ସଭା ନିର୍ବାଚନ ଏକାକି ନିଜ ଶକ୍ତି ବଳରେ ଲଢ଼ିବ। ଏଭଳି ସ୍ଥିତିରେ ଏକ ନିର୍ବାଚନୀ ମେଣ୍ଟ ଅଥବା ତୃତୀୟ ସାମ୍ମୁଖ୍ୟ ଗଠନ ବିଷୟରେ ଗୁଜବ ପ୍ରଚାର କରିବା ଭୁଲ ଖବର। ଗଣମାଧ୍ୟମ ଏଭଳି ଦୁର୍ଭାଗ୍ୟଜନକ ଖବର ଦେଇ ନିଜର ବିଶ୍ୱାସନୀୟତା ହରାଇବା ଉଚିତ୍‌ ନୁହେଁ। ଲୋକମାନେ ମଧ୍ୟ ସାବଧାନ ହେବା ଉଚିତ।

ୟୁପିରେ ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ୁଥିବାରୁ ବିରୋଧୀଦଳଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ଏଣୁ ସେମାନେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବହୁଜନ ସମାଜର ଉନ୍ନତି ଲାଗି ବିଏସ୍‌ପି ନିର୍ବାଚନରେ ଏକାକୀ ଲଢ଼ିବା ନିଷ୍ପତ୍ତି ବଦଳାଇବ ନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ, ମାୟାବତୀ କଂଗ୍ରେସ ସହ ହାତ ମିଳାଇ ପାରନ୍ତି ଏବଂ ତାଙ୍କ ଦଳ ୟୁପି ବ୍ୟତୀତ ଅନ୍ୟ ରାଜ୍ୟରେ ମେଣ୍ଟକୁ ନେଇ ସହଯୋଗୀ ଖୋଜୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ଗତ ନିର୍ବାଚନରେ ମାୟାବତୀ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ, ହେଲେ ପରେ ସମାଜବାଦୀ ପାର୍ଟୀ ସହ ମେଣ୍ଟ ଗଠନ କରିଥିଲେ। ଏଣୁ ସେଭଳି କିଛି ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.