କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ
ଟିଡିପି ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଅର୍ଥାତ ବୁଧବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସୂଚନା ଅନୁଯାୟୀ, ଚନ୍ଦ୍ରବାବୁ ନାଇଡୁ ସକାଳ ୧୧.୨୭ରେ ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ସହଯୋଗୀମାନେ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କର ବିଧାୟକ ଦଳ ନେତା ଭାବରେ ମନୋନୀତ କରିଛନ୍ତି।
ବର୍ତ୍ତମାନ ଟିଡିପି, ଭାଜପା ଓ ଜନସେନାର ନେତାମାନେ ରାଜ୍ୟପାଳ ଏସ ଅବଦୁଲ ନାଜିରଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ସୁପାରିଶ କରିବେ।
ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଉ କିଛି ନେତା ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଏଥିମଧ୍ୟରେ ଟିଡିପି ସାଧାରଣ ସମ୍ପାଦକ ତଥା ନାଇଡୁଙ୍କ ପୁଅ ନାରା ଲୋକେଶ ଏବଂ ଜନସେନା ନେତା ଏନ ମନୋହର ମଧ୍ୟ ରହିପାରନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି।