ଆଜି ଇଡିରେ ହାଜର ହୋଇପାରନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା
ଭୁବନେଶ୍ୱର (ଆମ ଟିଭି): ଅର୍ଚ୍ଚନା ମାମଲାରେ ଇଡିର ତଦନ୍ତ ଆରମ୍ଭ ହେବା ଦିନ ଠାରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ଭିତରେ ଆଜି ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଗତ ଶନିବାର ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନଥିଲେ ଅକ୍ଷୟ । ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହେବା ପାଇଁ ଅକ୍ଷୟଙ୍କୁ ଇଡି ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡ଼ିଛି । ସେପଟେ ଇଡିର ତଦନ୍ତ ଯେତେ ଆଗକୁ ବଢୁଛି, ଅର୍ଚ୍ଚନା ସହ ସଂପୃକ୍ତ ନେତା, ବ୍ୟବସାୟୀ, ବିଲଡରଙ୍କ ଛାତି ସେତେ ଧଡପଡ ହେଉଛି ।
୧୨ ଜଣ ନେତାଙ୍କୁ ଇଡି ହାଜର ହେବା ପାଇଁ କାଳେ ନୋଟିସ ପଠାଯାଇଛି । ସେମାନେ ପର୍ୟ୍ୟାୟକ୍ରମେ ଇଡି କାର୍ୟ୍ୟାଳୟରେ ହାଜର ହେବେ । ପ୍ରଶ୍ନ ଉଠୁଛି ଏହି ସବୁ ନେତା କିଏ? ଅର୍ଚ୍ଚନା ମାମଲାରେ କାହା କାହା ପାଖକୁ ନୋଟିସ ପହଂଚିଛି? ଆଗକୁ ଆଉ କେଉଁମାନଙ୍କ ପାଳି ପଡିବ? ଏସବୁ ପତା ଖୋଲିନାହାନ୍ତି ଇଡି ଅଧିକାରୀ । ଯାହା ମାମଲା ଉପରେ ନଜର ରଖିଥିବା ଲୋକଙ୍କ ଉତ୍କଣ୍ଠା ବଢାଇ ଦେଉଛି ।