ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା କ୍ୟାନସରରୁ ମିଳିବ ମୁକ୍ତି !
ଗୁହାଳ ସଫା କଲେ ଏବଂ ଗୁହାଳେ ଶୋଇବା ଦ୍ୱାରା କ୍ୟାନସର ଭଳି ଦୂରାରୋଗ୍ୟ ଦୂର ହୋଇପାରେ। ଏକଥା ଆମେ କହୁନୁ, ଉତ୍ତରପ୍ରଦେଶର ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର ଦାବି କରିଛନ୍ତି। ଗାଈମାନେ ରହୁଥିବା ଗୁହାଳ ସଫା କରିବା ଏବଂ ସେଠାରେ ଶୋଇବା ଦ୍ୱାରା କ୍ୟାନସର ଭଲ ହୋଇପାରିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗାଈର ପିଠି ଥାପୁଡ଼ାଇବା ଦ୍ୱାରା ଉଚ୍ଚ ରକ୍ତଚାପ (ବିପି) ବି କମ୍ ହୋଇପାରେ।
ନୌଗୱା ପାକାଡିଆରେ କାହ୍ନା ଗୋଶାଳା ଉଦଘାଟନୀ ଅବସରରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ସଞ୍ଜୟ ସିଂହ ଗଙ୍ଗୱାର। ଏହି ଗୋଶାଳା 55 ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଛି। ବୁଲାଗାଈଙ୍କ ସୁରକ୍ଷା ପାଇଁ କାହ୍ନା ଗୋଶାଳା ନିର୍ମାଣ ହୋଇଛି।
ଏହି ଗୋଶାଳାର ଉଦଘାଟନ କରି ଗଙ୍ଗୱାର କହିଛନ୍ତି, “ଯଦି ରକ୍ତଚାପ ରୋଗୀ ଅଛନ୍ତି, ସେମାନଙ୍କ ପାଇଁ ଏଠାରେ ଗାଈ ଅଛି। କାରଣ ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାରେ ଗାଈର ପିଠି ଥାପୁଡ଼ାନ୍ତି, ତେବେ ତାଙ୍କର ରକ୍ତଚାପ ହ୍ରାସ ପାଇବ। ଏପରି କରିବା ଦ୍ୱାରା 20 ମିଲିଗ୍ରାମ ରକ୍ତଚାପ ଔଷଧ ଖାଉଥିଲେ, ଏହା ୧୦ ମିଲିଗ୍ରାମକୁ ଖସି ଆସିବ। ମାତ୍ର ୧୦ ଦିନ ମଧ୍ୟରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ।”
କର୍କଟ ଉପଚାର ବାବଦରେ ଆଲୋଚନା କରି ସେ ଆହୁରି କହିଛନ୍ତି, “ଯଦି ଜଣେ କର୍କଟ ରୋଗୀ ଗୁହାଳ ସଫା କରନ୍ତି ଏବଂ ସେଠାରେ ଶୁଅନ୍ତି, ତେବେ କର୍କଟ ମଧ୍ୟ ଭଲ ହୋଇପାରିବ। ଘସି ଜାଳିଲେ ବି ମଶାଙ୍କଠାରୁ ମୁକ୍ତ ପାଇପାରିବେ। ଗାଈଠାରୁ ଉତ୍ପାଦନ ହେଉଥିବା ସମସ୍ତ ଜିନିଷ କୌଣସି ନା କୌଣସି ଉପାୟରେ ଉପଯୋଗୀ।”