ନୂଆଦିଲ୍ଲୀ(ଆମ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଯିବା ପ୍ରତିବାଦରେ ଆଜି ଏବଂ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦେଶର ବଡ ବଡ ୩୫ ସହରରେ ପ୍ରତିବାଦ କରାଯିବ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ବିଭିନ୍ନ ସହରକୁ କଂଗ୍ରେସର ପ୍ରମୁଖ ନେତା ମାନେ ଯିବେ । ଆଉ ଆନ୍ଦୋଳନରେ ସାମିଲ ହେବେ । ଆସନ୍ତାକାଲି ଭୁବନେଶ୍ୱର ସମେତ ୩୧ ସହରରେ ପ୍ରତିବାଦ ହେବ । ଆନ୍ଦୋଳନ ବେଳେ ରାହୁଲ ଗାନ୍ଧୀ ପ୍ରସଙ୍ଗ ସହ ନୀରବ ମୋଦୀ ଏବଂ ଲଳିତ ମୋଦୀଙ୍କୁ କ୍ଲିନ ଚିଟ୍ ଦେବା ପ୍ରସଙ୍ଗ ମଧ୍ୟ କଂଗ୍ରେସ ଉଠାଇବ ବୋଲି କହିଛି । ଆଜି ଲକ୍ଷ୍ନୌ, ଜାମ୍ମୁ-କାଶ୍ମୀର ହାଇଦ୍ରାବାଦ, ଚଣ୍ଡିଗଡରେ କଂଗ୍ରେସ ଆନ୍ଦୋଳନ କରିବା ସହିତ ସାମ୍ବାଦିକ ସମ୍ମିଳନୀ କରିବ ।
ବିରୋଧୀଙ୍କୁ ଏକାଠୀ କରିଦେଲା ରାହୁଲ ଗାନ୍ଧୀ ପ୍ରସଙ୍ଗ । ଜଣେ ଆଉ ଜଣଙ୍କୁ ବିରୋଧ କରୁଥିବା ଦଳ ଓ ନେତା, ଏବେ ରାହୁଲଙ୍କ ପାଇଁ ଏକାଠି ହେଉଛନ୍ତି । ରାହୁଲଙ୍କ ସମର୍ଥନ ପାଇଁ ଖଡ୍୍ଗେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଡିଏମକେ, ସପା, ଜେଡିୟୁ, ବିଆରଏସ୍, ସିପିଏମ୍, ଆରଜେଡି, ଏନସିପି, ସିପିଆଇଏମ୍ ଦଳ ସାମିଲ ହୋଇଛନ୍ତି ।