ନୂଆଦିଲ୍ଲୀ (ଆମ ଟିଭି ): ଗୋଟେପଟେ ଇସ୍ରାଏଲ- ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏପଟେ ଭାରତରେ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାରି ଭିତରେ କଂଗ୍ରେସ ସାଂସଦ ରାଜମୋହନ ଅତ୍ରୀଥନ କାସରଗଡ ଠାରେ ଚାଲିଥିବା ପାଲେଷ୍ଟାଇନ ଏକଜୁଟତା ରାଲିରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମୀନ ନେତନ୍ୟାହୁଙ୍କ ବିରୋଧରେ ମକଦ୍ଦମା ନ ଚଳାଇ ତାଙ୍କୁ ସିଧାସଳଖ ଗୁଳିମାରି ହତ୍ୟା କରିଦେବା ଉଚିତ୍ । ରାଲିରେ ଉପସ୍ଥିତ ଥିବା ଲୋକଙ୍କୁ ସେ ପଚାରିଥିଲେ କି ଜେନେଭା କନଭେନସନର ସମସ୍ତ ଚୁକ୍ତିକୁ ଉଲଂଘନ କରିଥିବା ଲୋକ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ? ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ଅପରାଧରେ ସାମିଲ ଲୋକଙ୍କ ପାଇଁ ନୁର୍ନବର୍ଗ ଟ୍ରାଏଲ ଏକ ଏଭଳି ପଦକ୍ଷେପ ଥିଲା ଯାହା ମାଧ୍ୟମରେ ସେମାନଙ୍କ ବିରୋଧରେ କିଛି ଟ୍ରାଏଲ ନକରି ଗୁଳି ମାରିଦେବାର ପ୍ରାବଧାନ ଥିଲା ।
ରାଜମୋହନ ଅତ୍ରୀଥନ କହିଛନ୍ତି କି, ଏବେ ସେହି ସମୟ ଉପନୀତ ହୋଇଛି ନୁର୍ନବର୍ଗ ମଡେଲକୁ ପରୀକ୍ଷଣ କରାଯାଉ । ନେତନ୍ୟାହୁ ଏବେ ସାରା ବିଶ୍ୱ ସାମ୍ନାରେ ଜଣେ ଯୁଦ୍ଧ ଅପରାଧୀ ଭାବେ ଉଭା ହୋଇଛନ୍ତି । ଏହି କାରଣରୁ ନେତନ୍ୟାହୁଙ୍କ ବିରୋଧରେ କୌଣସି ମକଦ୍ଦମା ନଚଳାଇ ତାଙ୍କୁ ଗୁଳିମାରି ହତ୍ୟା କରାଯିବା ଉଚିତ । କାରଣ ନେତନ୍ୟାହୁ ଏବେ ସାରା କ୍ରୁରତା ଟପି ଯାଇଛନ୍ତି ।