ନୂଆଦିଲ୍ଳୀ (ଆମ ଟିଭି): ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ସବୁବେଳେ ବିବାଦରେ ରହି ଆସିଛି । ଏବେ ପୁଣି ଏକ ବିବାଦକୁ ନେଇ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ଲାଗିଛି ବାକ୍ ଯୁଦ୍ଧ । ଆରଏସଏସର ଡ୍ରେସ୍ କୋଡ ଗେରୁଆ ପ୍ୟାଣ୍ଟରେ ନିଆଁ ଲଗାଇଦେଇଛି କଂଗ୍ରେସ। ଏହି ଫଟୋକୁ ନେଇ ଏବେ କଂଗ୍ରେସ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି । ଆଉ ବିଜେପି ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି। କଂଗ୍ରେସ ଶେଆର କରିଥିବା ଫଟୋକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ବିରୋଧୀ ଶାସକ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।
ଆଜି କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେଆର କରିଛି। ଏହି ଫଟୋରେ ଆରଏସଏସର ଡ୍ରେସ୍ ବା ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏଥିରୁ ଧୂଆଁ ମଧ୍ୟ ବାହାରୁଛି। ଏହି ଫଟୋ ଜରିଆରେ ଆର୍ଏସ୍ଏସ୍ ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଆଉ ମାତ୍ର ୧୪୫ଦିନ ମଧ୍ୟରେ ଦେଶ ବିଜେପି-ଆରଏସଏସ ମୁକ୍ତ ହେବ ବୋଲି କହିଛି କଂଗ୍ରେସ।
ଏହି ଫଟୋ ପୋଷ୍ଟ ହେବା ପରେ ପରେ ଚିହିଁକି ଉଠିଛନ୍ତି ବିଜେପିର ସମସ୍ତ ନେତା। କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଭାରତ ଜଳାଓ ଯାତ୍ରା ବୋଲି କହିଛି ବିଜେପି। ନିଆଁ ଲଗାଇବା ହେଉଛି କଂଗ୍ରେସର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା। ୧୯୮୪ ଦଙ୍ଗା ହେଉ ଅବା ଜାଲଗାଓଁ, ମୁମ୍ବାଇ, ହାସିମପୁରା, ଭାଗଲପୁର କିମ୍ବା ମେରଟ। ଏହି ତାଲିକା ବେଶ୍ ଲମ୍ବା। ଆରଏସଏସର ପ୍ୟାଣ୍ଟରେ ନିଆଁ ଲଗାଇଥିବା ଫଟୋକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ ।