ନୂଆଦିଲ୍ଲୀ (ଆମ ଟିଭି): ତେଲ ଦରରେ ନିଆଁ । ୯୦ ଡଲାର ପାର୍ କଲା ଅଶୋଧିତ ତେଲ । ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ୍ । ଇରାନ ସହ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ । ବ୍ରେଣ୍ଟ କ୍ରୁଡ୍ ର ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ଟପିଛି, ଯାହା ଗତ ଦୁଇ ବର୍ଷ ମଧ୍ୟରେ ସବୁଠାରୁ ଅଧିକ । ବ୍ରେଣ୍ଟ କ୍ରୁଡ୍ ଦର ୮.୫୨% ବଢ଼ି ୯୨.୬୯ ଡଲାରରେ ପହଞ୍ଚିଥିବା ବେଳେ ଆମେରିକୀୟ WTI ତେଲ ଦର ୧୨% ବୃଦ୍ଧି ପାଇ ୯୦.୯୦ ଡଲାର ହୋଇଛି । ୧୯୮୩ ପରଠାରୁ ଗୋଟିଏ ସପ୍ତାହରେ ସବୁଠାରୁ ବଡ଼ ବୃଦ୍ଧି ।
ବିଶ୍ୱର ୨୦% ତେଲ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ଯାଏ । ଯୁଦ୍ଧ ଯୋଗୁଁ ସେଠାରେ ଜାହାଜ ଚଳାଚଳ ପ୍ରାୟ ବନ୍ଦ ହୋଇଛି । ଇରାନର ଆକ୍ରମଣ ଭୟରେ ତେଲ ବୋଝେଇ ଜାହାଜଗୁଡ଼ିକ ଯାଇପାରୁ ନାହିଁ । ତେଲ ଦର ବଢ଼ିବା ଯୋଗୁଁ ଆମେରିକାରେ ପେଟ୍ରୋଲ ଓ ଡିଜେଲ ଦାମ୍ ୧୦% ବଢ଼ିଛି । ପ୍ରଭାବରେ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ଆଶଙ୍କା ଦେଖାଦେଇଛି । ଯଦି ଯୁଦ୍ଧ ଥମେ ନାହିଁ, ତେବେ ତେଲ ଦର ବ୍ୟାରେଲ ପିଛା ୧୦୦ରୁ୧୫୦ ଡାଲର ପର୍ଯ୍ୟନ୍ତ ଯାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।