ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; କାଲି ଲଘୁଚାପ, ୨୪ରେ ଅବପାତ ସମ୍ଭାବନା

0

ଭୁବନେଶ୍ୱର (ଆମ ଟିଭି): ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘାରିଛି ବର୍ଷାର ଭୟ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । କାଲି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ୨୪ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ତେଣୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ତେବେ ଆଗାମୀ ୫ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଙ୍ଗୋପସାଗରରେ ଦାନା ବନ୍ଧୁଛି ଲଘୁଚାପ । ସାଟେଲାଇଟ୍ ଦ୍ୱାରା ଉଠା ଯାଇଥିବା ଚିତ୍ରରେ ସ୍ପଷ୍ଟ ହେଇଛି ଯେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘେରି ରହିଛି ବାଦଲ । ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିଛି ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତ ରୂପ । ବାତ୍ୟା ହେବ କି ନାହିଁ, ଯଦି ହେବ ତୀବ୍ରତା କେତେ ରହିବ, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ । କିନ୍ତୁ କିଛି ଅନ୍ତର୍ଜାତୀୟ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.