ପାକିସ୍ତାନରେ ସାଙ୍ଘାତିକ ବନ୍ୟା ସ୍ଥିତି: ୧୧୦୦ ଲୋକଙ୍କ ଗଲାଣି ଜୀବନ
ଇସଲାମାବାଦ (ଆମ ଟିଭି): ଆର୍ଥିକ ସଙ୍କଟ ସାଙ୍ଗକୁ ବନ୍ୟା । ପାକିସ୍ତାନର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପାକିସ୍ତାନରେ ସୃଷ୍ଟି ହୋଇଛି ଜଳପ୍ରଳୟ। ଜୁନରୁ ଏ ପର୍ୟ୍ୟନ୍ତ ହଜାରେ ଲୋକଙ୍କ ମୃତ୍ୟୁ ହେଲାଣି । ଜୁଆଡ଼େ ଦେଖିବ ଖାଲି ପାଣି । ପରିସ୍ଥିତି ଏପରି ଯେ, ହେଲିକପ୍ଟର ଓହ୍ଲାଇବାକୁ ଶୁଖିଲା ଜାଗା ମିଳୁନି । ୩୦ ବର୍ଷ ଭିତରେ ପାକିସ୍ତାନର ଏ ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଛି। ଏହା ଫଳରେ ଯେଉଁ ବନ୍ୟା ହୋଇଛି, ତାହା ପୁରା ଦେଶରେ ରଚାଇଛି ଧ୍ୱଂସଲୀଳା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ । ପ୍ରଳୟଙ୍କରୀ ବନ୍ୟାରେ ୧୧ଶହରୁ ଧିକ ଲୋକଙ୍କ ଜୀବନ ଯାଇଛି। ବିଲିୟନ ଡଲାରର ସଂପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି ।
ବନ୍ୟା ପ୍ରଭାବ ଯୋଗୁଁ ସେଠାରେ ଦରଦାମ ଆକାଶଛୁଆଁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏତେ ବଢ଼ିଛି ଯେ ତାହା ଲୋକଙ୍କ କ୍ରୟଶକ୍ତି ବାହାରକୁ ଚାଲି ଯାଇଛି । ଲକ୍ଷ ଲକ୍ଷ ହେକ୍ଟର କପା ଚାଷ ନଷ୍ଟ ହୋଇଥିବାରୁ ଏହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଅଛି। ବନ୍ୟାରେ ବୁଡିଥିବା ପାକିସ୍ତାନ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।