ନୂଆଦିଲ୍ଲୀ (ଆମ ଟିଭି): ପୁଣି ଫର୍ମକୁ ଫେରୁଛନ୍ତି ଦାଦା । ଆଇପିଏଲରେ ପୁଣି ଦେଖିବାକୁ ମିଳିବ ଦାଦାଙ୍କ ଦାଦାଗିରି । କାହିଁକି ନା, କିଛି ବର୍ଷର ବ୍ରେକ ପରେ ପୁଣିଥରେ ଆଇପିଏଲରେ ସାମିଲ ହେବାକୁ ଯାଉଛନ୍ତି ବିସିସିଆଇର ପୂର୍ବ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ଆଇପିଏଲ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲିଙ୍କୁ ବଡ ଦାୟିତ୍ୱ ଦେବା ସହିତ ତାଙ୍କୁ ନିଜ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଭାବେ ନିଯୁକ୍ତି ଦେଇଛି ।
ବିସିସିଆଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୌରଭ ଗାଙ୍ଗୁଲି ପୁଣିଥରେ ଆଇପିଏଲକୁ ରିଟର୍ଣ୍ଣ କରୁଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ତାଙ୍କ ଦାୟିତ୍ୱ କଣ ରହିବ ସେନେଇ କିଛି ବିସ୍ତୃତ ତଥ୍ୟ ଦିଆଯାଇନାହିଁ । ହେଲେ ମିଳିଥିବା ସୂଚା ମୁତାବକ, ସେ ଦଳର ମେଣ୍ଟର ରହିବା ସହିତ କୋଚିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରନ୍ତି ।
ପୂର୍ବରୁ ମଧ୍ୟ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡି ହୋଇଥିଲେ । ୨୦୧୯ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମେଣ୍ଟର ନିଯୁକ୍ତ ହୋଇଥିଲେ । ହେଲେ ଚଳିତଥର ତାଙ୍କୁ ବଡ ଦାୟିତ୍ୱ ଦେବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଡିରେକ୍ଟର ଅଫ୍ କ୍ରିକେଟ ଭାବେ ନିଯୁକ୍ତି ଦେଇଛି ।