୧୯ରେ ଲଘୁଚାପ: ୨୨ ଯାଏ ବର୍ଷିବ

0

ଆସନ୍ତା ୨୨ ତାରିଖ ଯାଏ ରାଜ୍ୟକୁ ପ୍ରବଳ ବର୍ଷା ମିଳିବ। ସ୍ଥଳ ଭାଗ ଏବଂ ଜଳ ଭାଗରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ଗତ କିଛିଦିନ ହେବ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ର ବିଦର୍ଭ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ଏପରି କି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୯ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ସେହିଦିନ ସନ୍ଧ୍ୟା କିମ୍ବା ୨୦ ତାରିଖରେ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ଯୋଗୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିଯୋଗୁ ମହାନଦୀ ଓ ଏହାର ଶାଖା ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୨ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ କୋରାପୁଟରେ ୪୫.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୨, ଦେବଗଡ଼ ୨୪, ନବରଙ୍ଗପୁର ୨୩, ବାରିପଦା ୧୧, ତାଳଚେର ୧୫, ଭବାନୀପାଟଣା ୧୪, ସୋନପୁର ୧୪, ନୟାଗଡ଼ ୧୯, ଫୁଲବାଣୀ ୧୯ ଏବଂ ଟିଟିଲାଗଡ଼ରେ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

Leave A Reply

Your email address will not be published.