ନୂଆଦିଲ୍ଲୀ: ଲଣ୍ଡନରେ ଧ୍ରୁବ ରାଠୀଙ୍କ ପ୍ରଦର୍ଶନକୁ ନେଇ ହଙ୍ଗାମା! ଭାରତରେ ଭୋଟ୍ ଚୋରି ଏବଂ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ଉଠିଥିବା ବିବାଦ ଏବେ ପହଞ୍ଚିଛି ବ୍ରିଟେନର ରାଜଧାନୀ ଲଣ୍ଡନରେ । ପାର୍ଲାମେଣ୍ଟ ସ୍କୋୟାରରେ ଧ୍ରୁବ ରାଠୀଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଭୟ ପକ୍ଷକୁ ଅଲଗା କରିଥିଲା ଲଣ୍ଡନ ପୋଲିସ।
ଅକ୍ଟୋବର ୧୧ ତାରିଖ, ଶନିବାର ଦିନ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାରରେ ଏକାଠି ହୋଇଥିଲେ ଶହ ଶହ ଲୋକ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଆୟୋଜିତ ଏହି ପ୍ରଦର୍ଶନରେ ସାମିଲ ହୋଇଥିଲେ ୟୁଟ୍ୟୁବର୍ ଧ୍ରୁବ ରାଠୀ । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ଯାଞ୍ଚ ବା SIRକୁ ନେଇ ଏହି ପ୍ରତିବାଦ କରାଯାଇଥିଲା । ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ଯୁବ ଶାଖା ଏହାର ଆୟୋଜନ କରିଥିବା ବେଳେ, ବ୍ରିଟେନରେ ଥିବା ଅନେକ ଭାରତୀୟ ସଂଗଠନ ଏହାକୁ ସମର୍ଥନ କରିଥିଲେ। ପ୍ରଦର୍ଶନକୁ ସମ୍ବୋଧନ କରି ଧ୍ରୁବ ରାଠୀ କହିଥିଲେ, ଭାରତରେ ନିରପେକ୍ଷ ନିର୍ବାଚନ ଏବଂ ପ୍ରତ୍ୟେକ ନାଗରିକଙ୍କ ଭୋଟ୍ ଦେବାର ଅଧିକାର ସୁନିଶ୍ଚିତ ହେବା ଆବଶ୍ୟକ। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ପଦବୀରେ ଏପରି ଜଣେ ବ୍ୟକ୍ତି ରହିବା ଉଚିତ, ଯାହାଙ୍କ ନିଯୁକ୍ତିକୁ ସରକାର ଓ ବିରୋଧୀ ଉଭୟ ଗ୍ରହଣ କରିପାରିବେ ବୋଲି ସେ ଦାବି କରିଥିଲେ ।
ରାଠୀ ଆହୁରି କହିଥିଲେ, ଭାରତରେ ଭୋଟ୍ ଚୋରି ବିରୋଧରେ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଏହି ପ୍ରଦର୍ଶନ ସମୟରେ ସେ ବିଦେଶୀ ହସ୍ତକ୍ଷେପ ଚାହୁଁନଥିବା ମଧ୍ୟ ସ୍ପଷ୍ଟ କରିଥିଲେ । ଧ୍ରୁବ ରାଠୀଙ୍କ ପ୍ରଦର୍ଶନକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ପାର୍ଲାମେଣ୍ଟ ସ୍କୋୟାରରେ ଏକାଠି ହୋଇଥିଲେ । ଇଣ୍ଡିଆ ଡାଏସ୍ପୋରା ୟୁକେ ପକ୍ଷରୁ ଏହି ପ୍ରତିବାଦ ପାଇଁ ଆହ୍ୱାନ କରାଯାଇଥିଲା ।ଦୁଇ ପକ୍ଷ ପରସ୍ପର ବିରୋଧରେ ନାରାବାଜି କରିବାରୁ ଉତ୍ତେଜନା ବଢ଼ିଥିଲା । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଲଣ୍ଡନ ମେଟ୍ରୋପଲିଟାନ୍ ପୋଲିସ ଉଭୟ ଗୋଷ୍ଠୀକୁ ଅଲଗା ରଖିଥିଲା ।
ଅନ୍ୟପଟେ, ଇଣ୍ଡିଆ ଡାଏସ୍ପୋରା ୟୁକେର ପ୍ରତିଷ୍ଠାତା ହୃଦେଶ ଗୁପ୍ତା କହିଥିଲେ ଯେ, ବ୍ରିଟେନରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ଏକ ଶକ୍ତିଶାଳୀ, ଏକତାବଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି।