କାଲି ଦିଲ୍ଲୀ ମେୟର ପାଇଁ ନିର୍ବାଚନ
ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀରେ ଉପ ରାଜ୍ୟପାଳ ଓ ଶାସକ ଦଳ ମଧ୍ୟରେ କଳି ଦେଖିବାକୁ ମିଳିଛି। ଆସନ୍ତାକାଲି ଦିଲ୍ଲୀ ମେୟର ନିର୍ବାଚନ ହେବ। ଏହାପୂର୍ବରୁ ଉପ ରାଜ୍ୟପାଳ ଭିକେ ସକ୍ସେନା ଓ କ୍ଷମତାସୀନ ଆପ୍ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି।
ମେୟର ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର କରିଥିବା ସୁପାରିସକୁ ଅଣଦେଖା କରିଛନ୍ତି ଉପ ରାଜ୍ୟପାଳ ସକ୍ସେନା। ଏଥିସହ ସେ ଜଣେ ବିଜେପି ନେତାଙ୍କୁ ଆସନ୍ତାକାଲିର ମେୟର ନିର୍ବାଚନକୁ ପରିଚାଳନା କରିବା ପାଇଁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି।
ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆପ୍ ଜିତିବା ପରେ ପ୍ରଥମଥର ପାଇଁ ଆସନ୍ତାକାଲି ନବ ନିର୍ବାଚିତ କର୍ପୋରେଟରମାନେ ବୈଠକ କରିବାକୁ ଯାଉଛି। ଏହି ସମୟରେ ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆପ୍ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଛି।
ଦିଲ୍ଲୀ ସରକାର ଆପର କର୍ପୋରେଟର ମୁକେଶ ଗୋଏଲଙ୍କୁ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ହେଲେ ଉପ ରାଜ୍ୟପାଳ ଏହାକୁ ଅଣଦେଖା କରି ବିଜେପି କର୍ପୋରେଟର ସତ୍ୟ ଶର୍ମାଙ୍କୁ ଅସ୍ଥାୟୀ ବାଚସ୍ପତି ପଦରେ ବସାଇଛନ୍ତି। ସତ୍ୟ ଶର୍ମା ପୂର୍ବରୁ ପୂର୍ବ ଦିଲ୍ଲୀ ମହାନଗର ନିଗମର ମେୟର ଥିଲେ। ତେବେ ମୁକେଶ ନବ ନିର୍ବାଚିତ କର୍ପୋରେଟରଙ୍କ ମଧ୍ୟରେ ସବୁଠାରୁ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେବାକୁ ଦିଲ୍ଲୀ ସରକାର ସୁପାରିସ କରିଥିଲେ।