୨୦୨୪ ରେ ଖୋଲିବ ଅଯୋଧ୍ୟା ରାମ ମନ୍ଦିର
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ସେହି ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବ। ଆସନ୍ତାବର୍ଷ ଜାନୁଆରୀ ୧ରେ ରାମ ମନ୍ଦିର ଖୋଲିବ ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତ୍ରିପୁରାରେ ଘୋଷଣା କରିଛନ୍ତି
୨୦୨୪ରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ଦିନରେ ରାମ ମନ୍ଦିର ଖୋଲିବା ନିଶ୍ଚିତ ଭାବେ ବିଜେପି ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏଥିସହ ଦଳ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିବାରେ ରାମ ମନ୍ଦିର ଖୋଲିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ରଖିଛନ୍ତି।
ଅମିତ ଶାହ ଆଜି କହିଛନ୍ତି, “କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମକୁ କୋର୍ଟରେ ଲମ୍ବେଇ ଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ କାମ ଆରମ୍ଭ କାରିଥିଲେ। ରାମ ମନ୍ଦିର କାମ ଜୋରସୋରରେ ଚାଲିଛି। ୨୦୨୪ ଜାନୁଆରୀ ୧ ସୁଦ୍ଧା ଏହା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବ। ନିର୍ମାଣ ସରିବା ପରେ ଜାନୁଆରୀ ୧ ତାରିଖ ୨୦୨୪ରେ ଏହାକୁ ଖୋଲା ଯିବ।”